ବରଗଡରେ ବନ୍ଦ ଘରେ ୪ ମୃତଦେହ ଉଦ୍ଧାର ମାମଲାରେ ନୂଆ ମୋଡ: ଘଟଣା ସ୍ଥଳରୁ ମିଳିଲା ରକ୍ତଭିଜା ହାତୁଡ଼ି

140

କନକ ବ୍ୟୁରୋ: ବରଗଡ ଭେଡେନ୍ ଜାମଡୋଲ ଗାଁର ଏହି ଘଟଣା ଏବେ ସମସ୍ତଙ୍କୁ ହତବାକ କରିଦେଇଛି । ଏକ ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଗୁଡିକ ପଡିଥିବାରୁ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୃତକଙ୍କ ମଧ୍ୟରେ ରହିଛନ୍ତି, ଶେଷଦେବ ମେହେର, ପତ୍ନୀ କ୍ଷୀରେଶ୍ୱରୀ ମେହେର, ପୁଅ ଅରବିନ୍ଦ ମେହେର ଏବଂ ଝିଅ ଶ୍ରୀବଣୀ ମେହେର । ବରଗଡ ଏସପି ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ଆଉ ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛନ୍ତି । ପୋଲିସ ଶବ ଜବତ କରିବା ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଂଟିଫିକ୍ ଟିମ ପହଂଚି ତଦନ୍ତ କରିଛନ୍ତି । ଏଥିସହ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ସଂପୃକ୍ତ ଅଂଚଳକୁ ସିଲ୍ କରି ଦେଇଛି ପୋଲିସ । ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ହତ୍ୟା ବୋଲି ସନ୍ଦେହ କରି ମାମଲା ରୁଜୁ କରିଛି । ଘଟଣାସ୍ଥଳରୁ ମୋବାଇଲ୍, ହାତୁଡି ଜବତ କରି ତଦନ୍ତ କରୁଛି ପୋଲିସ ।

କିପରି ଏବଂ କେଉଁ ପରିସ୍ଥିତିରେ ଏପରି ଏକ ହତ୍ୟା ହେଲା ସେ ନେଇ ଅନେକ ପ୍ରଶ୍ନ ଉଠିଛି । ବଡ କଥା ହେଲା ଯଦି କେହି ବାହାର ଲୋକ ହତ୍ୟା କରିଛି ତାହାଲେ ଘରର ଆଗ ଓ ପଛ କବାଟ କିପରି ବନ୍ଦ ରହିଲା? ମୃତକଙ୍କ ସଂପର୍କୀୟଙ୍କ କହିବାକଥା ଶେଷଦେବ ମେହେରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ହେଉଛନ୍ତି ଅରବିନ୍ଦ ମେହେର । ଆଉ ଶ୍ରାବଣୀ ହେଉଛନ୍ତି ଦ୍ୱିତୀୟ ପତ୍ନୀଙ୍କର ଏକମାତ୍ର ଝିଅ । ଯାହାଙ୍କର ବିବାହ ଠିକ୍ ହୋଇଥିଲା । ହେଲେ ୩୦ ବର୍ଷୀୟ ଅରବିନ୍ଦ ବ୍ୟବସାୟରେ କ୍ଷତି ସହିବା ପରେ ଟଂକା ପଇସା ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ରହିଥିଲା । ତେଣୁ ପୁଅ ହାତୁଡିରେ ପରିବାର ଲୋକଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଆଶଙ୍କା କରୁଛି ପୋଲିସ ।

ଘଟଣାଟି ୪-୫ ଦିନ ତଳେ ଘଟିଥିବା ସନ୍ଦେହ କରାଯାଉଛି । କିଛି ଦିନ ଧରି ଘର ବନ୍ଦ ରହିବା ପରେ ରବିବାର ଦୁର୍ଗନ୍ଧ ହେବାରୁ ପଡୋଶୀ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ଆଉ ପରେ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।