ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ । ଶରଦ ପାୱାରଙ୍କୁ ଶିବସେନା ନେତା ସଞ୍ଜୟ ରାଉତ ଭେଟିବା ପରେ ସରକାର ଗଠନ ନେଇ ବଢିଲା ଚର୍ଚ୍ଚା, ସେପଟେ ଦିଲ୍ଲୀରେ ଆଜି ହାଇକମାଣ୍ଡଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା

859

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ରୋଚକ ମୋଡ । କିଏ ଗଢିବ ସରକାର ଏବେ ବି ଚିତ୍ର ଅସ୍ପଷ୍ଟ । ବିଜେପିକୁ ବାଦ୍ ଦେଇ କେମିତି ସରକାର ଗଠନ କରାଯାଇପାରିବ ସେ ନେଇ ଶିବସେନା ଜୋରଦାର ଉଦ୍ୟମ କରୁଛି । ୫୦-୫୦ କ୍ଷମତା ଭାଗବଂଟା ନେଇ ଶିବସେନା ନିଜ ଜିଦରେ ଅଟଳ ଥିବା ବେଳେ ଅଢ଼େଇ ବର୍ଷୀୟା ମୁଖ୍ୟମନ୍ତ୍ରୀ ଥିଓରୀକୁ ମାନିବାକୁ ନାରାଜ ରହିଛି ବିଜେପି । ଏଭଳି ସମୟରେ ଗତକାଲି ରାତିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତ । ତେବେ ଶିବସେନା ସହିତ ମିଶି ସରକାର ଗଠନ ପ୍ରସ୍ତାବକୁ ଏଡାଇ ଯାଇଛି ଏନସିପି । ଶିବସେନାକୁ ସମର୍ଥନ ପ୍ରସ୍ତାବକୁ ଏନସିପିରେ ଅଧିକାଂଶ ନେତା ଗ୍ରହଣ କରୁନଥିବା ଜଣାପଡିଛି । ସେପଟେ ଏନସିପି ପରେ କଂଗ୍ରେସ ସହ ଯୋଗାଯୋଗରେ ରହିଛି ଶିବସେନା । ଆଜି କଂଗ୍ରେସ ନେତା ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବେ ।

source : hindustan times

ଆଗରୁ ଏନସିପି ମହାରାଷ୍ଟ୍ରରେ ବିରୋଧି ଭୂମିକା ତୁଲାଇବ ବୋଲି କହିଛି । ତେଣୁ ଏପରି ସ୍ଥିତିରେ କଂଗ୍ରେସର କଣ ରହିବ ମନୋଭାବ ତା ଉପରେ ସମସ୍ତଙ୍କ ନଜର । ସେପଟେ ଚଳିତ ନିର୍ବାଚନରେ ଶିବସେନାକୁ ମିଳିଛି ୫୫ ଆସନ । ଏନସିପି ୫୪ ଓ କଗ୍ରେସ ଖାତାକୁ ଯାଇଛି ୪୪ ଆସନ । ଏହି ତିନି ଦଳ ଏକାଠି ହେଲେ ୧୫୩ ସଂଖ୍ୟା ହେଉଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଢିବାକୁ ମ୍ୟାଜିକ୍ ନଂବର ହେଉଛି ୧୪୫ । ବିଜେପି ଏଥର ୧୦୫ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳ ରହିଥିଲେ ମଧ୍ୟ ସରକାର ଗଠନ ପାଇଁ ବିଜେପିକୁ ଆହୁରି ୪୦ ସଂଖ୍ୟା ଆବଶ୍ୟକ । ସେପଟେ ଶିବସେନା ର ବିଧାୟକ ଦଳ ବୈଠକରେ ଆଦିତ୍ୟ ଠାକରେଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଦଳ ବିଜେପି ମେଂଟକୁ ଅସ୍ୱୀକାର କରିନଥିବା ବେଳେ ଚୂଡାନ୍ତ ନିଷ୍ପତି ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ଛାଡିଛି ।