ପୁଣି ଜୀବନ ନେଲା ବିଏମସି ଅଳିଆ ଗାଡି । ଭୁବନେଶ୍ୱର ଭିଏସଏସ ନଗରରେ ଗାଡି ଧକ୍କାରେ ପୁଅ ଆଗରେ ଗଲା ମାଆର ଜୀବନ

233

କନକ ବ୍ୟୁରୋ: ପୁଣି ଏକ ଜୀବନ ନେଲା ବିଏମସି ଅଳିଆ ଗାଡ଼ି । ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ । ପୁଅ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଆଜି ଅପରାହ୍ନ ୪ଟା ବେଳେ ଭୁବନେଶ୍ୱର ଭିଏସଏସ୍ ନଗର ଅଳିଆ ଗଦା ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ଏକ ବାଇକରେ ଯାଉଥିବା ବେଳେ ପଛରୁ ଧକ୍କା ଦେଇଥିଲା ଟ୍ରକ୍ । ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରକୁ ମୃତ ଦେହ ଘୋଷାଡି ନେଇଥିଲା । ପ୍ରତିଦିନ ଭଳି ଭିଏସଏସ୍ ନଗର ଅଳିଆ ଗଦାରୁ ଏହି ଟ୍ରକ୍ ଅଳିଆ ନେଇ ଦାରୁଠେଙ୍ଗ ଯାଉଥିଲା । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଛି । ଘଟଣା ପରେ ସ୍ଥାନୀୟ ଲୋକ ମୃତଦେହକୁ ରଖି ରାସ୍ତା ଅବରୋଧ କରିଥିଲେ । ଭିଏସଏସନଗର-ସୈନିକ ସ୍କୁଲ ରାସ୍ତାକୁ ଅବରୋଧ କରାଯାଇଥିବା ଲଙ୍କାକାଣ୍ଡ ହୋଇଥିଲା । ପୁଲିସ-ଜନତା ମୁହାଁମୁହିଁ ହୋଇଥିଲେ । ପୁଲିସ ଉପରକୁ ଢେଲା ଓ ପଥରମାଡ ହୋଇଥିଲା । ପୁଲିସ ଲୋକଙ୍କ ଉପରେ ମୃଦୁ ଲାଠିଚାର୍ଜ କରିଥିଲା ।