କନକ ବ୍ୟୁରୋ: ମୃତ୍ୟୁ କଣ ଏମିତି ଆସେ....ଅସୁସ୍ଥ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇ ଯାଇଥିବା ମାଆ, ସେହି ଡାକ୍ତରଖାନାରେ ଆରପାରିକୁ ଚାଲିଯାଇଛନ୍ତି ମାଆ । ଏଭଳି ଏକ ଦୁଃଖଦ ମୃତ୍ୟୁ ଘଟିଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ଅନୁସାରେ, ରାଇବଣିଆ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗାଁର ମାଇନ ମୁର୍ମୁଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମାଇନ ମୁର୍ମୁଙ୍କ ପୁଅ ସଲମନ ମୁର୍ମୁ ଗତକାଲି ରାତିରେ ଝାଡାବାନ୍ତି ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ପୁଅର ଚିକିତ୍ସା ପାଇଁ ତାକୁ ହାତୀଗଡ ଡାକ୍ତରଖାନାକୁ ଆଣିଥିଲେ ମାଆ । ତେବେ ଡାକ୍ତର ସଲମାନଙ୍କ ଚିକିତ୍ସା କରିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ ମାଆ ମାଇନ । ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ ମଧ୍ୟ ପରବର୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଛି ।