‘ଟ୍ରୁ ଲଭ୍’ ଖୋଜୁଥିବା ଯୁବପିଢିଙ୍କୁ ବାର୍ତ୍ତା। ବିନା ବରରେ ନିଜେ ନିଜକୁ ବିବାହ କଲେ କ୍ଷମା ବିନ୍ଦୁ ।

279

କନକ ବ୍ୟୁରୋ: ବିନା ବରରେ ହେଲା ବାହାଘର । ନିଜକୁ ନିଜେ ବିବାହ କଲେ ଗୁଜରାଟର ୨୪ ବର୍ଷିୟ ଯୁବତୀ କ୍ଷମା ବିନ୍ଦୁ । ଖାଲି ବିବାହ କଲେନି ବିବାହ ଏବଂ ବିବାହ ପୂର୍ବର ହଳଦୀ ଓ ମେହେନ୍ଦୀ ଉତ୍ସବର ଫଟୋ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କଲେ । ହାତରେ ମେହେନ୍ଦୀ ଏବଂ ନାଲି ଶାଢି ପିନ୍ଧି ଭଦୋଦରାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି ବିନ୍ଦୁ । ବିବାହରେ ନା ବର ଥିଲେ ନା ପଣ୍ଡିତ । କ୍ଷମାଙ୍କ ସହ ଥିଲେ ତାଙ୍କର ମାତ୍ର ୧୦ ଜଣ ସାଙ୍ଗ ଓ ସମ୍ପର୍କୀୟ । ବିବାହ ପରେ ତାଙ୍କୁ ସହଯୋଗ କରିଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କ୍ଷମା କହିଛନ୍ତି, ତାଙ୍କର ଲକ୍ଷ ହେଉଛି ପରମ୍ପରାଗତ ଧାରଣାକୁ ହଟାଇବା ଏବଂ ଯେଉଁମାନେ ‘ଟ୍ରୁୁ ଲଭ’ ଅବା ସତ୍ୟ ପ୍ରେମ ଖୋଜୁଛନ୍ତି ସେମାନଙ୍କୁ ଅନୁପ୍ରେଣିତ କରିବା ।

କ୍ଷମା ପୂର୍ବରୁ ଜୁନ୍ ୧୧ ରେ ବିବାହ କରିବାକୁ ଘୋଷଣା କରିଥିଲେ । ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେବେ ବୋଲି କହିଥିଲେ । ପରେ ତାଙ୍କୁ ତାଙ୍କ ଧର୍ମର ଲୋକ ଏବଂ ପଡୋଶୀ ଏହି ବିବାହକୁ ବିରୋଧ କରିଥିଲେ । ଏପରିକି କିଛି ଲୋକ ବିବାହ କରିବାକୁ ଦେବେନାହିଁ ବୋଲି ଧମକ ଦେଇଥିଲେ । କିନ୍ତୁ ଏହି ସ୍ୱତନ୍ତ୍ର ଦିନକୁ ସେ ବର୍ବାଦ କରିବାକୁ ଚାହୁଁନଥିବାରୁୁ ବିବାହର ତିନି ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସେ ବିବାହ କରିନେଇଛନ୍ତି ।

କ୍ଷମା ଆଜି ବିବାହର କିଛି ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ମୋ ନିଜ ପ୍ରେମରେ ପଡିଯାଇଛି, ଏବଂ ଗତକାଲି ମୁଁ ମୋ ନିଜର ବଧୁ ସାଜିଛି । ତେବେ ଭାରତରେ ଏଭଳି ବିବାହ ପ୍ରଥମ ବୋଲି କୁହାଯାଉଛି ।