ରାତି ସାଢେ ୯ଟାରେ ଘରେ ପଶିଗଲେ ଲୁଟେରା: ଶିଶୁ ପୁତ୍ର ମୁଣ୍ଡରେ ବନ୍ଧୁକ ଲଗାଇ ଘର ଲୋକଙ୍କୁ କଲେ ଭୟଭୀତ, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ନେଇ ଚାଲିଗଲେ ମୁଖାପିନ୍ଧା ଲୁଟେରା

416

କନକ ବ୍ୟୁରୋ: ରାତିରେ ଘରେ ପଶିଗଲେ ମୁଖା ପିନ୍ଧା ସଶସ୍ତ୍ର ଡକାୟତ । କୁନି ପିଲାର ମୁଣ୍ଡରେ ଲଗେଇ ଦେଲେ ବନ୍ଧୁକ । ପୁଅର ମୁଣ୍ଡରେ ବନ୍ଧୁକ ଦେଖି ଭୟଭିତ ହୋଇଗଲେ ପରିବାର ଲୋକେ । ଏହାପରେ ପରିବାର ସଦସ୍ୟଙ୍କ ହାତଗୋଡ ବାନ୍ଧି ଅତର୍କିତ ଆକ୍ରମଣ କଲେ । ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ଘରେ କଳାକନା ବୁଲାଇ ଦେଇଛନ୍ତି । ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ନେଇ ଯାଇଛନ୍ତି ଲୁଟେରା । ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଖୁଦପେଜ ଗାଁରେ ଏମିତି ଏକ ଲୁଟ ହୋଇଛି । ଗତକାଲି ରାତି ସାଢେ ୯ଟାରେ ଖୁଦପେଜ ଗାଁର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ପଶିଥିଲେ ୮ ଜଣ ଲୁଟେରା । ଘରେ ପଶି ପ୍ରଥମେ ସେ ସୁନ୍ଦରଶ୍ୟାମଙ୍କ ପୁଅକୁ ଟାର୍ଗେଟ କରିଥିଲେ । ପୁଅ ମୁଣ୍ଡରେ ବନ୍ଧୁକ ରଖି ଘରର ୩ ଜଣ ଲୋକଙ୍କୁ ମାଡ ମାରି ଲହୁଲୁହାଣ କରି ଲୁଟ୍ କରିଛନ୍ତି । ଲୁଟେରାମାନେ ସୁନ୍ଦରଶ୍ୟାମ ଓ ତାଙ୍କ ବାପା ଭରତ ଶତପଥୀ ଓ ମାଆ ଜମ୍ବୁ ଶତପଥୀଙ୍କୁ ମାଡ ମାରିଛନ୍ତି ।

ସୁନ୍ଦରଶ୍ୟାମଙ୍କ ମୁଣ୍ଡ ପଛପଟେ ବନ୍ଧୁକରେ ଆଘାତ କରିଛନ୍ତି । ସେହିଭଳି ତାଙ୍କ ବାପାଙ୍କ ମଣ୍ଡକୁ ଆଘାତ କରିଥିବା ବେଳେ ମାଆଙ୍କ ଗୋଡକୁ ମାରିଛନ୍ତି ମୁଖା ପିନ୍ଧା ଲୁଟେରା । ତେବେ ବାପା-ମାଆଙ୍କ ଅବସ୍ଥା ସ୍ଥିର ଥିବା ବେଳେ ସୁନ୍ଦରଶ୍ୟାମଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ପ୍ରଥମେ ଖଡିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପରେ ନୂଆପଡା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ସୁଧାର ନଆସିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନ୍ତର କରାଯାଇଛି । ଏହି ଲୁଟ ଘଟଣା ଖଡିଆଳ ଥାନାରେ ପହଂଚିବା ପରେ ତଦନ୍ତ ଜାରି ରହିଛି । ଲୁଟେରାଙ୍କ ମଧ୍ୟରୁ କିଛି ଲୋକଙ୍କୁ ପରିବାର ଲୋକ ଚିହ୍ନିଥିବା ପୁଲିସକୁ କହିଛନ୍ତି । ନୂଆପଡା ଏସପି, ଖଡିଆଳ ଏସଡିପିଓ ଓ ଆଇଆଇସି ନିଜେ ଘଟଣାସ୍ଥଳରେ ଛାନଭିନ୍ କରିଛନ୍ତି । ପୁଲିସର ଏକ ଟିମ୍ ଡଗ ସ୍ୱାର୍ଡ ସହ ତଦନ୍ତ କରୁଥିବା ନୂଆପଡା ଏସପି ସୂଚନା ଦେଇଛନ୍ତି ।