ସୁରକ୍ଷିତ ରହିପାରିବ କି କୋଣାର୍କ ? ଆସନ୍ତା ୧୦ରେ ଭୁବନେଶ୍ୱରରେ ବସିବ ଉଚ୍ଚସ୍ତରୀୟ ବୈଠକ ।

ଏହି ବୈଠକରେ କୋଣାର୍କର ସୁରକ୍ଷା ନେଇ କେଉଁ ପ୍ରକାର ପଦକ୍ଷେପ ନିଆଯିବ ତାହା ସ୍ଥିରୀକୃତ ହେବ ।

74

କନକ ବ୍ୟୁରୋ: ଆସନ୍ତା ୧୦ ତାରିଖରେ କୋଣାର୍କକୁ ନେଇ ବସିବ ଉଚ୍ଚସ୍ତରୀୟ ବୈଠକ । ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର କଳାକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ଼ ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଣାର୍କ ସମସ୍ୟା ସଂପର୍କୀତ ବୈଠକରେ ଏହା ନିଷ୍ପତି କରାଯାଇଛି ।

ତେବେ ଭୁବନେଶ୍ୱରରେ ହେବାକୁଥିବା ଆସନ୍ତା ବୈଠକରେ କେନ୍ଦ୍ର ଓ ରାଜ୍ୟର ସଂସ୍କୃତି ମନ୍ତ୍ରୀ, ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ଅଧିକାରୀ ଏବଂ ବିଶେଷଜ୍ଞମାନେ ଯୋଗ ଦେବେ ବୋଲି ଗତକାଲି ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ କୋଣାର୍କର ସୁରକ୍ଷା ନେଇ କେଉଁ ପ୍ରକାର ପଦକ୍ଷେପ ନିଆଯିବ ତାହା ସ୍ଥିରୀକୃତ ହେବ । ଏହି ବୈଠକ କୋଣାର୍କକର ପ୍ରକୃତ ସତ୍ୟାସତ୍ୟ ଏବଂ ବିଶ୍ୱ ଦରବାରରେ ଯେଉଁ କୋଣାର୍କକୁ ନେଇ ଚର୍ଚ୍ଚା ହେଉଛି ତାହା ସମ୍ବନ୍ଧିତ ତଥ୍ୟ ସମ୍ନାକୁ ଆସିବ ବୋଲି ବିଭିନ୍ନ ଗବେଷକମାନେ ମତ ପ୍ରକାଶ କରିଛନ୍ତି ।

ସେପଟେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ଼ ଶର୍ମା କହିଛନ୍ତି ଯେ କୋଣାର୍କ ପ୍ରତି କୌଣସି ବିପଦ ନାହିଁ । ପ୍ରଧାନମନ୍ତ୍ରୀ ଏହାର ସୁରକ୍ଷା ଲାଗି ତାଙ୍କ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନିମାପଡାର ବିଧାୟକ ସମୀର ଦାସ, ଏଏସଆଇର ଡିଜି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍କୃତି ସଚିବ ଯୋଗଦେଇଥିଲେ ।