ସ୍ମୃତି ତୁମେ ଅକ୍ଷୟ: ଖୋକା ଭାଇଙ୍କ ଜନ୍ମ ବାର୍ଷିକୀରେ ହୃଦୟର ଶ୍ରଦ୍ଧାଞ୍ଜଳି

91
କନକ ବ୍ୟୁରୋ: ଅକ୍ଷୟ ମହାନ୍ତି , ଓଡିଆ ସଂଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ।  ଓଡିଆ ସଂଗୀତ ଜଗତ କୁ ସେ ଦେଇଛନ୍ତି ନୂତନ ଦିଗନ୍ତ । ତାଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ଓଡିଆ ସଂଗୀତ ଜଗତ ଆଜି ପରିପୃଷ୍ଟ । ଏକାଧାରରେ ସେ ଜଣେ ଗାୟକ , ଗୀତିକାର , ସଂଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ  । ଜଣେ ଶ୍ରେଷ୍ଟ ଗାୟକ  ଓ ଗୀତିକାର ହିସାବରେ ସେ ପ୍ରତୀଟି ଓଡିଆ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଲାଭ କରିଛନ୍ତି । ଓଡିଆ ସଂଗୀତ ଜଗତ ପ୍ରତି ଅକ୍ଷୟ ମହାନ୍ତିଙ୍କ ଅବଦାନ ଆତୁଳନୀୟ । ଓଡ଼ିଆ ସଙ୍ଗୀତ ଜଗତର ବାଦଶାହ ଅକ୍ଷୟ ମହାନ୍ତି ଓରଫ ଖୋକାଭାଇଙ୍କ ଜନ୍ମଜୟନ୍ତୀରେ କୋଟିଏ ଦଣ୍ଡବତ ଜଣାଇଛନ୍ତି ତାଙ୍କ ପ୍ରଶଂସକ । ଝୁରି ହୋଇଛନ୍ତି ଅକ୍ଷୟଙ୍କ ଗୀତକୁ ଗୁଣୁଗୁଣେଇଛନ୍ତି ।

 

ତତ୍କାଳୀନ କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗ୍ରାମରେ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କ ଔରସରୁ  ସେ ୧୨ ଅକ୍ଟୋବର ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ ।  କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ ।ବଡ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ଵୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

 

ଅକ୍ଷୟଙ୍କର ପ୍ରଥମ ଚଳଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ  କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । “ରକତ ଟଳମଳ” ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।

 

ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବଦ ଭେଳିକି (Sound Effect) ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, “କାଞ୍ଚି ଅଭିଯାନ”, “ରାଣ୍ଡୀପୁଅ ଅନନ୍ତା” ଆଉ “କୋଣାର୍କ ଗାଥା” ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ “ପେଟେଣ୍ଟ ମେଡିସିନ”କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।

 

ସାଲବେଗଙ୍କ ରଚନା ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । ‘ସାତ ଦରିଆପାରେ’ର ଦେଶ ପାଇଁ କଥା, “ହେ ଫଗୁଣ ତୁମେ’ର ଉଦାସୀ ମନ ଆଉ ‘ରାଜାଝିଅ ସାଙ୍ଗେ”ର ହାଲକା ଫୁଲକା ଭାବ; ଦୁଃଖଭରା ‘ରକତ ଟଳମଳ’ ଆଉ ଭାବୁକ ‘ଚକୋରି ଝରାନା ଲୁହ’ – ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।କେବଳ ସଙ୍ଗୀତ ନୁହେଁ ତିନୋଟି କଥାଚିତ୍ରରେ ସେ ଅଭିନୟ ମଧ୍ୟ କରିଛନ୍ତି ଆଉ ଗୋଟିଏ କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି । ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ ।

 

ଓଡିଆ ସଂଗୀତର ଚିରାଚରିତ ଧାରା ରେ ପରିବର୍ତ୍ତନ ଆଣି ସେଥିରେ ଆଧୁନିକତାର ସ୍ପର୍ଶ ଦେଇ ଏହାକୁ ଋଦ୍ଧିମନ୍ତ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ସେ |  ପଚାଶ ଓ ଷାଠିଏ ଦଶକ ସମୟରେ ଓଡ଼ିଆ ଗୀତର ସ୍ୱରୂପ ଧିମା ଥିଲା ଏବଂ ଏଥିରେ ବଙ୍ଗୀୟ ଛାଞ୍ଚ ଅନୁଭୂତ ହେଉଥିଲା କିନ୍ତୁ ଏହି ଧାରା ରେ ପରିବର୍ତ୍ତନ ଆଣି ସେତେବେଳର ପତର ନିଗଡ ଭିତରୁ ଓଡିଆ ସଂଗୀତାକୁ ମୁକ୍ତି ଦେଇ ଓଡିଆ ଲୋକ ସଂଗୀତ ସହ ଆଧୁନିକତାର ଛନ୍ଦଣି ବୁଣିଥିଲେ ଅକ୍ଷୟ  | ସଂଗୀତର ବ୍ୟକରଣ ନୁହେଁ ବରଂ ଭାବକୁ ଅଧିକ ଗୁରୁତ୍ଵ ଦେଉଥିଲେ ସେ | ଓଡିଶା ର ସଙ୍ଗୀତ ସାମ୍ରାଜ୍ୟ ରେ ଅକ୍ଷୟଙ୍କର ଅବଦାନ ଅତୁଳନୀୟ, ସେ ସଦା ସର୍ବଦା ତାଙ୍କର ମନରୋମ ଓ ହୃଦୟସ୍ପର୍ଶୀ ସଙ୍ଗୀତ ପାଈଁ ଆମ ସମସ୍ତଙ୍କ ଗହଣରେ ଚିରସ୍ମରଣୀୟ ହୋଇ ରହିଥିବେ |