କରୋନା ଆକ୍ରାନ୍ତଙ୍କୁ ଛୁଇଁବାକୁ ମନା କରିଦେଲେ ଡାକ୍ତର । ଅକ୍ସିଜେନ ମାଗି ମାଗି ମରିଗଲେ ମହିଳା । ଭଦ୍ରକ ଡାକ୍ତରଖାନାରୁ ଆସିଲା ଅମାନବୀୟ କାହାଣୀ ।

469

କନକ ବ୍ୟୁରୋ : ଡାକ୍ତରଖାନାରେ କରୋନା ରୋଗୀଙ୍କ ପ୍ରତି ଚରମ ଅବହେଳା । କରୋନା ହୋଇଛି କହି ରୋଗୀଙ୍କୁ ଛୁଇଁଲେ ନାହିଁ କି ଚିକିତ୍ସା କରାଇଲେ ନାହିଁ ଡାକ୍ତର । ଅକ୍ସିଜେନ ଅଭାବରୁ ଭଦ୍ରକ ଡାକ୍ତରଖାନାରେ ହିଁ ଆଖି ବୁଜିଛନ୍ତି ଜଣେ ସଂକ୍ରମିତ ମହିଳା । ଅକ୍ସିଜେନର ଅଭାବ ନଥିଲା, ଡାକ୍ତର, ନର୍ସ ସମସ୍ତେ ଉପସ୍ଥିତ ଥିଲେ । ହେଲେ ମହିଳା ଜଣକ କରୋନା ସଂକ୍ରମିତ ଜାଣିବା ପରେ କେହି ପାଖକୁ ଆସିଲେ ନାହିଁ । ଆଖି ଆଗରେ ରୋଗୀ ଛଟପଟ ହେଉଥିଲା, ହେଲେ ଡାକ୍ତର କି ନର୍ସ ଛୁଇଁଲେ ନାହିଁ । ଶେଷରେ ଛଟପଟ୍ ହୋଇ ସମସ୍ତଙ୍କ ଆଖି ଆଗରେ ପ୍ରାଣ ହରାଇଛନ୍ତି ମହିଳା ।

ଏହି ଘଟଣା ଯେତିକି ଯନ୍ତ୍ରଣାଦାୟକ, ସେତିକି ଦୁଃଖଦ । କରୋନା ରୋଗୀଙ୍କ ପାଇଁ ହୋଇଥିବା ତମାମ ବ୍ୟବସ୍ଥା କେତେ ବ୍ୟବସ୍ଥିତ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ତାହା ପ୍ରମାଣିତ କରୁଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଘଟିଥିବା ଏହି ଘଟଣାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ ।

ସୂଚନା ଅନୁସାରେ ସିମୁଳିଆ ଥାନା ଅଂଚଳର ମଇତାପୁର ଗାଁର ଗୋମତି ସିଂ ଛାତିରେ ଯନ୍ତ୍ରଣା ହେବାରୁ ଭଦ୍ରକ ମେଡିକାଲକୁ ଆସିଥିଲେ । ମେଡିସିନ ୱାର୍ଡରେ ଚିକିତ୍ସା ପାଇଁ ତାଙ୍କୁ ପଠାଯାଇଥିବା ବେଳେ ତାଙ୍କ ରକ୍ତ ନମୁନା ପରୀକ୍ଷାରୁ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏହାପରେ ଡାକ୍ତର କି ନର୍ସ ସଂକ୍ରମିତ ହେବା ଭୟରେ ତାଙ୍କୁ ଛୁଇଁନଥିଲେ । ଏହି ସମୟରେ ଗୋମତିଙ୍କୁ ହସ୍ପିଟାଲ ଆଣିଥିବା ତାଙ୍କ ସଂପର୍କୀୟ ଅକ୍ସିଜେନ ଦେବାକୁ ବ୍ୟାକୁଳ ହୋଇ ଅନୁରୋଧ କରିଥିଲେ । ହେଲେ ତାଙ୍କ କଥା କେହି ଶୁଣିନଥିଲେ ।

କେବଳ ଏତିକିରେ ଶେଷ ହୋଇନଥିଲା, ମାନବିକତା ଭୁଲି ଯାଇ ଅକ୍ସିଜେନ ଦେଇ ହେବନି ବୋଲି ଗାଳି ଗୁଲଜ କରି ତୁରନ୍ତ ହସ୍ପିଟାଲ ଛାଡି ଚାଲିଯିବାକୁ ସଂପର୍କୀୟଙ୍କୁ କହିଥିଲେ ହସ୍ପିଟାଲ କର୍ମଚାରୀ । ଶେଷରେ ନିଶ୍ୱାସ ପ୍ରଶ୍ୱାସ ନେଇନପାରି ସମସ୍ତଙ୍କ ସାମ୍ନାରେ ଛଟପଟ ହୋଇ ଗୋମତୀ ପ୍ରାଣ ହରାଇଛନ୍ତି । ଏହି ପୁରା ଘଟଣା କ୍ୟାମେରାରେ କଏଦ ହୋଇଛି ।

ଏପଟେ ଦେଶରେ ଅକ୍ସିଜେନ ଅଭାବ ଦେଖା ଦେବା ପରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଛନ୍ତି । ରାଜ୍ୟରେ ଅକ୍ସିଜେନ ଅଭାବ ନାହିଁ, ତେଣୁ ଅକ୍ସିଜେନ ଅଭାବରୁ ଯେପରି କୌଣସି ରୋଗୀଙ୍କ ଜୀବନ ନଯାଏ ସେନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କେମିତି ପାଳନ ହେଉଛି ତାହା ଏହି ଘଟଣା ବୟାନ କରୁଛି ।