ପାଠ ପଢିବାକୁ ଚାହୁଁଛି କୁନି ଝିଅ । ଅର୍ଥ ସାଜିଛି ବାଧକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା କୁନି ଝିଅ ଶୁଭଲକ୍ଷ୍ମୀ ।

260

କନକ ବ୍ୟୁରୋ: ପାଠ ପଢ଼ିବାକୁ ଚାହୁଁଛି କୁନି ପିଲା, ହେଲେ ଅର୍ଥ ସାଜିଛି ବାଧକ । ରୋଜଗାର କ୍ଷମ ମା ଘର ଛାଡି ଚାଲି ଯାଇଥିବାବେଳେ, କୃଷକ ବାପା ଝିଅର ପାଠପଢ଼ା ବୋଝ ଉଠାଇ ପାରୁନାହାଁନ୍ତି । ଆଉ ଏତିକିବେଳେ ଶିକ୍ଷୟିତ୍ରୀ ଥିବା ମାଙ୍କ ଦରମାରୁ ତାଙ୍କ ପାଠପଢା ଖର୍ଚ୍ଚ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି, ଷଷ୍ଠ ଶ୍ରେଣୀର ଝିଅ ଶୁଭଲକ୍ଷ୍ମୀ ।

ମାନନୀୟ ମୁଖ୍ୟମନ୍ତ୍ରୀ

ମହାଶୟ,

ମୁଁ କୁମାରୀ ଶୁଭଲକ୍ଷ୍ମୀ ଜେନା, ବାପା-ଭଗବାନ ଜେନା । ଘର-ଆମ୍ବୋ, ଥାନା-ନନ୍ଦିପଡ଼ା, ଜିଲ୍ଲା- କେନ୍ଦୁଝର । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ । ମୋ ବାପା ଜଣେ ନାମମାତ୍ର ଚାଷୀ । ମା’ ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟତ୍ରୀ । ମା’ ଘର ଛାଡ଼ି ଅନ୍ୟତ୍ର ଚାଲିଯିବା ପରେ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ । ଆର୍ଥିକ ସମସ୍ୟା ଯୋଗୁଁ ମୋ’ର ପାଠପଢ଼ା ବାଧକ ସାଜିଛି ।

ଆଦର୍ଶ ବିଦ୍ୟାଳୟରେ ଛାତ୍ରୀ ନିବାସ ନଥିବାରୁ ଗାଁରୁ ୧୮ କିଲୋମିଟର ନିୟମିତ ଯାତାୟତ କରିବା କଷ୍ଟକର ହୋଇପଡିଛି । ତେଣୁ ଭଡ଼ା ଘରେ ମେସ୍ କରି ରହୁଛି । ଯାହାର ମାସିକ ଖର୍ଚ୍ଚ ୫ ହଜାର ଟଙ୍କା ବହନ କରିବା ଚାଷୀ ପରିବାର ପାଇଁ ସମ୍ଭବ ହେଉନି । ତେଣୁ ମୋ ପାଠପଢ଼ା ପାଇଁ ମୋତେ ସହଯୋଗ କରନ୍ତୁ । ମୋର ଭରଣପୋଷଣ ପାଇ ମା’ଙ୍କ ମାସିକ ଦରମାରୁ ଆବଶ୍ୟକୀୟ ପ୍ରାପ୍ୟ ଦେବା ପାଇଁ ଦିଗରେ ସହଯୋଗ କରନ୍ତୁ ।

ପାଠ ପଢ଼ିବାକୁ ଇଚ୍ଛା ରଖୁଥିବା ଷଷ୍ଠ ଶ୍ରେଣୀର ଶୁଭଲକ୍ଷ୍ମୀ ଜେନା, ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଏଭଳି କିଛି ଲେଖିଛନ୍ତି । ତେବେ ସୂଚନା ଅନୁସାରେ ଶୁଭଲକ୍ଷ୍ମୀଙ୍କ ବାପା ଭଗବାନ ଜେନା ୨୦୧୦ ମସିହାରେ ବାହା ହୋଇଥିଲେ । ଝିଅ ଜନ୍ମ ହେବା ପରେ ପରିବାର ଖୁସିରେ ଚାଲିଥିଲା । ହେଲେ ଗତ ୫ ବର୍ଷ ତଳେ ଶୁଭଲକ୍ଷ୍ମୀଙ୍କ ମା’ ଘରଛାଡ଼ି ଚାଲିଯାଇଛନ୍ତି । ଘରର ଏକମାତ୍ର ଚାକିରିଆ ସଦସ୍ୟ ଘର ଛାଡ଼ି ଚାଲିଯିବା ପରେ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଛି ।

ଶୁଭଲକ୍ଷ୍ମୀ ଲେଖିଥିବା ଚିଠିର ଗୋଟିଏ ଲେଖାଏଁ କପି ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପଠାଯାଇଛି । ଦେଖିବାର କଥା ଶୁଭଲକ୍ଷ୍ମୀଙ୍କ କଥା ପ୍ରଶାସନ କିମ୍ବା ସରକାର ଶୁଣୁଛନ୍ତି ନା ନାହିଁ ।