ଝିଅ ଜନ୍ମପରେ ଖୁସି ହୋଇ ଜହ୍ନରେ ଜାଗା କିଣିଦେଲେ ବାପା । କୁନି ଝିଅକୁ ଚନ୍ଦ୍ରରେ ୧ ଏକର ଜମିର ଉପହାର । ଚର୍ଚ୍ଚାରେ କେନ୍ଦ୍ରାପଡାର ଜଣେ ବାପା…

759

କନକ ବ୍ୟୁରୋ: ଝିଅ ପାଇଁ ଜହ୍ନରେ ଜାଗା । ଚନ୍ଦ୍ରରେ ଜମି କିଣିଲେ କେନ୍ଦ୍ରାପଡା ଯୁବକ । ଆ ଜହ୍ନମାମୁ ସରଗ ଶଶି… ମୋ ସୁନା ହାତରେ ପଡରେ ଖସି । ଅଝଟ ପିଲାଙ୍କୁ ବୁଝେଇବାକୁ ପିଲାବେଳେ ମାଆ ଆମକୁ ଏମିତି ଗୀତ ଗାଇ ବୁଝାଇଦିଏ । ଜହ୍ନକୁ ମାମୁ କହି ଆମ ମଥାରେ କଳାଟିକା ଲଗାଇଦିଏ । ବୋଧେ ସେଇଥିପାଇଁ ପିଲାବେଳୁ ଜହ୍ନକୁ ନେଇ ଟିକେ ଅଲଗା ଅନୁଭବ ଥାଏ ସମସ୍ତଙ୍କ ମନରେ । ଇଚ୍ଛା ହୁଏ ଜହ୍ନରାଇଜକୁ ଉଡିଯିବାକୁ, ସେଠି ଘରଟେ କରିବାକୁ । ଆଉ ସେମିତି ଏକ ସ୍ୱପ୍ନକୁ ସତ କରିଛନ୍ତି କେନ୍ଦ୍ରାପଡାର ଜଣେ ବାପା । ନିଜ ନବଜାତ ଝିଅକୁ ଦେଇଛନ୍ତି ଜହ୍ନ ଉପହାର । ଜହ୍ନରେ ଜାଗା କିଣି କୁନି ଝିଅକୁ ବଡ ଉପହାର ଦେଇଛନ୍ତି କେନ୍ଦ୍ରାପଡାର ବାପା ।

ତେବେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ କୁପୁଣି ଗାଁର ଅଭୟ କୁମାର ସେନାପତି ବାଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରନ୍ତି । ଗତ ଜାନୁଆରୀରେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ଅର୍ଥାତ ଜାନୁୟାରୀ ୧୫ରେ ଅଭୟଙ୍କ ଏକ ଝିଅ ଜନ୍ମହୋଇଥିଲା । ଆଉ ସେହି ଖୁସିରେ ଉପହାର ସ୍ୱରୁପ ତାକୁ ଜହ୍ନରେ ଜାଗା କିଣି ଦେବାକୁ ମନସ୍ଥ କରିଥିଲେ ଅଭୟ । ତାଙ୍କ କମ୍ପାନୀର ଜଣେ ସହଯୋଗୀ ଜହ୍ନରେ ଜମି କୁଣିବାକୁ ସାହାଯ୍ୟ କରିଥିବା ବେଳେ ନ୍ୟୁୟର୍କସ୍ଥିତ ଲୁନାର ସୋସାଇଟି ଇଣ୍ଟରନାସନାଲ ତାଙ୍କୁ ଜମି ଯୋଗାଇ ଦେଇଛି ।

ମାର୍ଚ୍ଚ ୬ ତାରିଖରେ ତାଙ୍କୁ ଚନ୍ଦ୍ର ପୃଷ୍ଠରେ କିଣିଥିବା ଜମିର ସମସ୍ତ କାଜଗପତ୍ର ମିଳିଛି । ତେବେ ମାତ୍ର ୧୦ ହଜାର ଟଙ୍କାରେ ସେ ନିଜ ଝିଅ ପାଇଁ ଜହ୍ନ ରାଇଜରେ ଜାଗାଟେ କିଣିଥିବା ବେଳେ ନିଜ ପିଲା ଦିନର ସ୍ୱପ୍ନକୁ ସତ କରିଛନ୍ତି ଅଭୟ । ତେବେ ପୂର୍ବରୁ ଜଣେ ଯୁବକ ଜହ୍ନରେ ଜାଗା କିଣି ନିଜ ଜୀବନ ସାଥିକୁ ଉପହାର ଦେଇଥିବା କଥା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟାଙ୍କୁ ଜହ୍ନରେ ଜାଗା ଟିଏ ଦେଇଥିଲେ ରାଜସ୍ଥାନର ଯୁବକ । ଆଉ ଏବେ ଓଡିଶାର ଜଣେ ବାପା ନିଜ କୁନି ଝିଅକୁ ଏ ଉପହାର ଦେଇ ପୁଣି ଚର୍ଚ୍ଚାରେ ରହିଛନ୍ତି ।