କାଶୀପୁରରୁ ଆସିଲା ସାଂଘାତିକ ଚିତ୍ର। ଡାକ୍ତରଖାନା ନଯାଇ ଗାଁରେ ପ୍ରାଣ ହରାଉଛନ୍ତି ଲୋକେ।

100

କନକ ବ୍ୟୁରୋ: କାଶୀପୁର ଟିକିରି ଅଞ୍ଚଳରେ କଲେରା ତା’ର କରାଳ ରୂପ ଦେଖାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଉପରେ ରୋକ ଲାଗିପାରୁନାହିଁ । ଗତ ୨୪ ଘଣ୍ଟାରେ କାଶୀପୁର ଅଞ୍ଚଳରେ ୩ଜଣ ଗ୍ରାମବାସୀ ପ୍ରାଣ ହରାଇଥିବା ବେଳେ ଦୁଇ ଜଣଙ୍କ ଡାଇରିଆରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପ୍ରଶାସନ । ଟିକିରି ପଞ୍ଚାୟତର ଜାମୁଗୁଡ଼ା ଗାଁର ୫୬ ବର୍ଷିୟା ମହିଳା ସୁନି ମାଝୀ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଗାଁରେ ପହଞ୍ଚଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ଠାରୁ ଔଷଧ ଖାଇଥିଲେ ସୁନି ମାଝୀ । ତେବେ ଗତକାଲି ବିଳମ୍ବିତ ରାତିରେ ସୁନି ବାରମ୍ବାର ତରଳ ଝାଡ଼ା ସହ ବାନ୍ତିର ଶିକାର ହୋଇଥିବା ବେଳେ ସକାଳୁ ତାଙ୍କୁ ଅଟୋ ଯୋଗେ ଡାକ୍ତରଖାନା ନିଆଯିବାକୁ ଉଦ୍ୟମ କରାଯାଇଥିଲା । ତେବେ ବାଟରେ ପ୍ରାଣ ହରାଇଥିଲେ ସୁନି । ସେହିପରି ଗତକାଲି ଶଙ୍କରଡ଼ା ଗ୍ରାମର ୫୦ ବର୍ଷିୟ ବୃଦ୍ଧ ଝାନୁ ମାଝୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ତେବେ ଝାନୁ ମଧ୍ୟ ଡାକ୍ତରଖାନାକୁ ନଯାଇ ଘରେ ଥାଇ ଔଷଧ ଖାଇଥିଲେ ।

ସେହିପରି ଗତକାଲି ପାନବନ୍ଧ ଗ୍ରାମର ୨୭ ବର୍ଷୀୟ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁରେ ମୃତ୍ୟୁବରଣ କରିଛନ୍ତି । ତେବେ ପ୍ରଶାସନ କିନ୍ତୁ ବିଟାଙ୍କ ମୃତ୍ୟୁକୁ ଡାଇରିଆ ଜନିତ ମୃତ୍ୟୁ ଭାବେ ଗ୍ରହଣ କରିବାକୁ ନାରାଜ । ବିଟା ପେଟବ୍ୟଥା ଯୋଗୁ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ ଉଲ୍ଲେଖ ହୋଇଛି । ଏ ଯାଏଁ କାଶୀପୁର ଅଞ୍ଚଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ।

କାଶୀପୁର ଟିକିରି ଅଞ୍ଚଳରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଥିବା ବେଳେ ଆଜି ମଧ୍ୟ କାଶୀପୁର ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ୬୩ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ତେବେ ଗାଁରେ ଥିବା ଆକ୍ରାନ୍ତଙ୍କୁ ଡାକ୍ତରଖାନା ମୁହାଁ କରାଇବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।