ଭିଣୋଇ ସହ ସାନ ଝିଅକୁ ବିବାହ କରିବା ପାଇଁ ପରିବାର ଲୋକଙ୍କ ଜିଦ୍ । ଅରାଜି ହେବାରୁ ମାଆ-ଝିଅଙ୍କୁ ଘରୁ ତଡିିଦେଲେ ପରିବାରଲୋକେ । 

ରାଉରକେଲାରୁ ଆସିଲା ଘରୋଇ ହିଂସାର ବିକୃତ ରୂପ ।

694

କନକ ବ୍ୟୁରୋ: ରାଉରକେଲାରୁ ଘରୋଇ ହିଂସାର ଏଭଳି ଏକ ଅଭିଯୋଗ ଆସିଛି, ଯାହା ସଭ୍ୟ ସମାଜର ବିବେକକୁ ଦୋହଲାଇ ଦେବ । ବଡ ଜ୍ୱାଇଁ ସହ ସାନ ଝିଅକୁ ବିବାହ କରିବା ପାଇଁ ଜିଦ୍ କରିଛନ୍ତି ଜଣେ ବାପା । ଆଉ ଏଥିରେ ସାନ ଝିଅ ଓ ମା’ ରାଜି ନହେବାରୁ ଅକଥନୀୟ ଅତ୍ୟାଚାର କରିବା ସହ ଘରୁ ବାହାର କରିଦେଇଛନ୍ତି ପରିବାର ଲୋକ ।

ରାଉରକେଲା ଆରଏସପି କାମ କରି ଅବସର ନେଇଥିବା କୃପାସିନ୍ଧୁ ସେଠୀଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି, ତାଙ୍କ ପତ୍ନୀ ବାସନ୍ତୀ ସେଠୀ ଏବଂ ସାନ ଝିଅ । କେନ୍ଦ୍ରାପଡ଼ାର ମୂଳବାସିନ୍ଦା କୃପାସିନ୍ଧୁ ୧୯୭୧ ମସିହାରେ ବିବାହ କରିଥିଲେ । କୃପାସିନ୍ଧୁଙ୍କ ୩ଟି ପୁଅ ଏବଂ ୨ ଦୁଇଟି ଝିଅ ଅଛନ୍ତି । ବଡ଼ ଝିଅ ବାହା ହେବା ପରେ ତାଙ୍କର ଜ୍ୱାଇଁଙ୍କ ୨ଟି ଝିଅ ହୋଇଛନ୍ତି । ହେଲେ ଜ୍ୱାଇଁକୁ ପୁଅ ପସନ୍ଦ ଥିବାରୁ ଦ୍ୱିତୀୟ ବିବାହ କରିବାକୁ ନିଜ ଶ୍ୱଶୁର କୃପାସିନ୍ଧୁଙ୍କୁ ପ୍ରସ୍ତାବ ଦେଇଥିଲେ ।

ଏଥିପାଇଁ ନିଜ ପତ୍ନୀଙ୍କ ସାନ ଭଉଣୀକୁ ବିବାହ କରିବାକୁ କୌଶଳ କ୍ରମେ କୃପାସିନ୍ଧୁଙ୍କୁ ରାଜି ମଧ୍ୟ କରାଇନେଇଥିଲେ । ଆଉ ସାନ ଝିଅ ଓ ମାଙ୍କୁ ଛାଡ଼ି ଯେତେବେଳେ ପୁରା ପରିବାର ରାଜି ହୋଇଯାଇଥିଲା, ବଳପୂର୍ବରୁ ବିବାହ କରିବାକୁ ଉଦ୍ୟମ କରିଥିଲେ । ହେଲେ ଏଥିରେ ରାଜି ନହେବାରୁ ସାନ ଝିଅ ଓ ମାଙ୍କୁ ଘରୁ ବାହାର କରିଦେଇଛନ୍ତି ପରିବାର ଲୋକ । ବିବାହ ପ୍ରସ୍ତାବରେ ରାଜି ହେବାକୁ ସାନ ଝିଅ ଉପରେ ୫ ବର୍ଷ ହେଲା ଚାପ ପକାଇ ଆସୁଛନ୍ତି ମାଆକୁ ଛାଡି ପୁରା ପରିବାର । ହେଲେ ବାରମ୍ବାର କହିବା ସତ୍ୱେ ରାଜି ନହେବାରୁ ସାନ ଝିଅ ଓ ମାଙ୍କୁ ଘରୁ ବାହାର କରିଦେଇଛନ୍ତି ।

୨୦୧୬ ମସିହାରୁ ଏନେଇ ଥାନାରେ ମାମଲା ହୋଇଥିଲେ ବି, ସ୍ଥାନୀୟ ପୁଲିସର ଅସହଯୋଗ ଯୋଗୁଁ କୌଣସି ସମାଧାନ ବାହାରି ପାରିନାହିଁ । ଏମିତି କି ପୂର୍ବରୁ କୋର୍ଟ ମା ଓ ଝିଅଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ କୌଣସି ଫଳ ହେଲା ନାହିଁ । ଏବେ ଏଡିଜେ କୋର୍ଟରେ ମାମଲା ଚାଲିଛି । ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୦ତାରିଖ ହେବ । ଆଉ ଏହାରି ଭିତରେ ମୁଣ୍ଡ ଗୁଞ୍ଜିବାକୁ ସଂଘର୍ଷ କରୁଛନ୍ତି କୃପାସିନ୍ଧୁ ସେଠିଙ୍କ ସାନ ଝିଅ ଓ ତାଙ୍କ ପତ୍ନୀ । ବଡ଼ କଥା ହେଉଛି, ଏହି ପୁରା କାହାଣୀରେ ଆଉ ଜଣେ ବ୍ୟକ୍ତିଙ୍କ ଭୂମିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଭିଣୋଇ ଯାହାଙ୍କର ୨ଟି ଝିଅ ଅଛନ୍ତି, ସେଭଳି ଜଣେ ବ୍ୟକ୍ତି ଆଉ ଥରେ ବିବାହ କରିବା ପାଇଁ ଜିଦ୍ ଧରି ବସିବା ସମସ୍ୟାକୁ ବଢ଼ାଇ ଦେଇଛି ।