ପ୍ରେମୀଙ୍କୁ ଅଟକାଇ ପାରିଲା ନାହିଁ ଭିନ୍ନ ଧର୍ମ । ମାଥିଲି ରାମ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଭିନ୍ନ ଧର୍ମର ପ୍ରେମୀ ଯୁଗଳ

375

କନକ ବ୍ୟୁରୋ : ପ୍ରେମ ଏମିତି ଏକ ସମ୍ପର୍କ । ଯାହା ଜାତି-ଧର୍ମ ଦେଖେନି । ଦୁଇଟି ହୃଦୟ ମିଶିଲେ ପ୍ରେମ ହୋଇଯାଏ । ଆଉ ସାରା ଜୀବନ ଏକାଠି ହୋଇ ସଂସାର ଗଢିବା ପାଇଁ ଘର ଛାଡନ୍ତି ପ୍ରେମୀ ଯୁଗଳ । ଏବେ ଆମେ ଏମିତି ଏକ ପ୍ରେମ କାହାଣୀ ସମ୍ପର୍କରେ କହିବୁ । ଯେଉଁମାନେ ପ୍ରେମକୁ ସ୍ୱୀକୃତି ଦେବା ପାଇଁ ରାତାରାତି ଘର ଛାଡି ଉପାନ୍ତ ମାଲକାନଗିରି ଜିଲା ମାଥିଲିରେ ଆଶ୍ରୟ ନେଇଛନ୍ତି ।

ପାରଳାଖେମୁଣ୍ଡିର ପ୍ରେମୀ ଯୁଗଳ ଅଲଗା ଧର୍ମର ହୋଇଥିବାରୁ ସ୍ୱୀକୃତି ଦେଇ ନାହାନ୍ତି ପରିବାର ଲୋକେ । ତେଣୁ ସେମାନେ ଘର ଛାଡିଛନ୍ତି ଆଉ ପ୍ରେମୀ ଯୁଗଳଙ୍କ ସହମତିରେ ହିନ୍ଦୁ ରୀତିନୀତିରେ ସେମାନଙ୍କ ବିବାହ କରାଇଛନ୍ତି ଗ୍ରାମବାସୀ । ଦେଖନ୍ତୁ ଏହି ରିପୋର୍ଟ- ମୁସଲିମ୍ କନିଆକୁ ହିନ୍ଦୁ ବର ।

ମୁସଲିମ୍ କନିଆକୁ ହିନ୍ଦୁ ବର । ହିନ୍ଦୁ ରୀତିନୀତିରେ ଚାଲିଛି ବାହା ଘର । ବ୍ରହ୍ମଣଙ୍କ ମନ୍ତ୍ର ଓ ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି ଦୁଇ ପ୍ରେମ ପକ୍ଷୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସୋଫିଆ ମୁସ୍କାନ ଓ ଶିବ କୁମାରଙ୍କ ହାତ ଗଣ୍ଠି ପକାଇଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଅଂଚଳର କିଛି ଗ୍ରାମବାସୀ । ମାଥିଲି ରାମ ମନ୍ଦିର ପରିସରରେ ସମସ୍ତ ଭଦ୍ର ବ୍ୟକ୍ତି, ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ସୋଫିଆ ଓ ଶିବ କୁମାର ।

ସୋଫିଆ ମୁସଲିମ୍ ଓ ଶିବ କୁମାର ହିନ୍ଦୁ ହୋଇଥିବାରୁ ସେମାନଙ୍କ ୬ ବର୍ଷର ପ୍ରେମ ସଂପର୍କକୁ ଗ୍ରହଣ କଲେ ନାହିଁ ପରିବାର ଲୋକ । ତେଣୁ ସେମାନେ ଘର ଛାଡି ମାଥିଲିକୁ ଚାଲି ଆସିଥିଲେ । ଶିବ କୁମାରଙ୍କ ସମ୍ପର୍କୀୟ ମାଥିଲି ରହୁଥିବାରୁ ୧୦ ଦିନ ହେବ ଏମାନେ ଏଠାରେ ରହୁଥିଲେ ।

ଜାତିପ୍ରଥା ପ୍ରେମରେ ବାଧକ ସାଜିଥିବା ଜାଣି ସ୍ଥାନୀୟ ଲୋକେ ସେମାନଙ୍କ ବିବାହ ପାଇଁ ରାମ ମନ୍ଦିରରେ ଆୟୋଜନ କରିଥିଲେ । ପ୍ରଭୁ ରାମଚନ୍ଦ୍ରଙ୍କ ସମ୍ମୁଖରେ ସୋଫିଆ ଓ ଶିବ କୁମାରଙ୍କ ଜନ୍ମଜନ୍ମାନ୍ତର ପାଇଁ ଦାମ୍ପତ୍ୟ ଜୀବନରେ ବାନ୍ଧି ହୋଇଛନ୍ତି । ସୋଫିଆଙ୍କ ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୂତ୍ର ପିନ୍ଧାଇ ସବୁଦିନ ପାଇଁ ନିଜର କରିଛନ୍ତି ଶିବ କୁମାର ।