କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ଓଡିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ଆଉ ଏଥିସହିତ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନା ଓ ଦ୍ରୌପଦୀ ମୁର୍ମୁଙ୍କ ଭିତରେ ଲଢେଇ ହେବା ପକ୍କା ହୋଇଛି । ତେବେ ଆସନ୍ତୁ ଜାଣିବା ଜଣେ କାଉନସିଲରୁ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହେବାର ଯାତ୍ରା…

Kanak News is now on WhatsApp
Join and get latest news updates delivered to you via WhatsApp
୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ସେହି ସମାନ ବର୍ଷ ସେ ରାଜ୍ୟ ବିଜେପିର ଏସଟି ମୋର୍ଚ୍ଚାର ଉପ-ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ପରେ ୨୦୦୦ରୁ ୨୦୦୪ ଏବଂ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ବିଧାୟିକା ଭାବେ ନିର୍ବାଚନ ଜିତିଥିଲେ । ତେବେ ତାଙ୍କର ଏଭଳି କାମ ପରେ ତାଙ୍କୁ ବିଜେପି ଏସଟି ମୋର୍ଚ୍ଚାର ନ୍ୟାସନାଲ ଏକ୍ସକୁଟିଭ୍ ମେମ୍ବର ପଦ ମିଳିଥିଲା, ସେ ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।
୨୦୦୭ ମସିହାରେ ସେ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ଆୱାର୍ଡ ମଧ୍ୟ ଜିତିଥିଲେ । ଆଉ ୨୦୧୦ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ମୟୁରଭଞ୍ଜ (ପଶ୍ଚିମ)ର ଜିଲ୍ଲା ବିଜେପି ସଭାପତି ରହିଥିଲେ । ୨୦୧୫ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ ସେ କୌଣସି ପ୍ରକାର ବିବାଦରେ ରହିନଥିଲେ । ତେଣୁ ଏନଡିଏ ଏବେ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ।