କନକ ବ୍ୟୁରୋ : କମ୍ପ୍ୟୁଟର ଅପରେଟର କାମ କରିବାକୁ ଯାଇ କମ୍ବୋଡିଆରେ ବନ୍ଦୀ ହେଲେ ଗଞ୍ଜାମ ରଙ୍ଗେଲଲୁଣ୍ଡାର ଦୀନବନ୍ଧୁ । ଭିଏତନାମରେ ଚାକିରି ଦେବା ନାଁରେ କମ୍ବୋଡିଆରେ ବିକିଦେଲେ ଏଜେଣ୍ଟ । ୨୫ଶହ ଡଲାର ଦେଲେ ଛାଡ଼ିବେ କହୁଛନ୍ତି ଏଜେଣ୍ଟ । ଏବେ କୋଠରୀରେ ବନ୍ଦୀ ଭାବରେ ଜୀବନ ବିତାଉଛନ୍ତି ଦୀନବନ୍ଧୁ ।

Advertisment

ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ । କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ବିଦେଶ ଯିବା ପାଇଁ ଗୁଜରାଟର ଏକ କମ୍ପାନୀ ୟୁନିକ ଏମ୍ପ୍ଲମେଣ୍ଟ ସର୍ଭିସ ସହ ଯୋଗାଯୋଗରେ ଆସିଥିଲେ । ସେଠାରେ ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ କାମ କରାଇ ଦେବା ପାଇଁ ଦେଢ଼ ଲକ୍ଷ ଟଙ୍କା ଓ ଭିସା ପାସପୋର୍ଟ ନେଇଥିଲେ । ଫ୍ଲାଇଟରେ ସେ ପ୍ରଥମେ ଭିଏତନାମାକୁ ନେଇଥିଲେ । ପରେ ସେଠାରୁ କମ୍ବୋଡିଆ ନେଇ ସେଠାରେ ଏକ କମ୍ପାନୀରେ କାମ ଦେଇଥିଲେ ।

ସେଠାରେ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ, କଲ କରି ଓଟିପି ନେଇ ଠକେଇ ଭଳି କାର୍ଯ୍ୟରେ କିଛି ଦିନ ନିୟୋଜିତ କରିବା ପରେ ସେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲେ । ସେ ଭାରତ ଫେରିଯିବେ ବୋଲି କହିବା ପରେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରିଛନ୍ତି । ୨୫ ଶହ ଡଲାର ଦେଲେ ଛାଡ଼ିବ କହୁଛି ଏଜେଣ୍ଟ । ତାଙ୍କୁ ସେଠାରୁ ସୁରକ୍ଷିତ ମୁକୁଳାଇବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ଦୀନବନ୍ଧୁଙ୍କ ପରିବାର ।