୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ଏବେ ବଡ଼ ପ୍ରଶ୍ନ, କମିଟି ସହ ଆଲୋଚନା କରିବେ କି ନାହିଁ ଚାଷୀ?

60

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ମଙ୍ଗଳବାର ଦିଲ୍ଲୀରେ କମିଟିର ପ୍ରଥମ ବୈଠକ ବସିଥିଲା । ଏଥିରେ କମିଟିର ୩ ଜଣ ଯାକ ସଦସ୍ୟ ଡକ୍ଟର ଅଶୋକ ଗୁଲାଟି, ପ୍ରମୋଦ ଯୋଶୀ ଓ ଅନୀଲ ଘନୱତ ଉପସ୍ଥିତ ଥିଲେ ।

ବୈଠକ ପରେ କମିଟିର ସଦସ୍ୟ ଅନୀଲ ଘନୱତ କହିଛନ୍ତି ଯେ, କମିଟି ଚାଷୀଙ୍କ ସହ ଗୁରୁବାର ଆଲୋଚନା କରିବ । ଚାଷୀ ଯଦି ଚାହିଁବେ ବ୍ୟକ୍ତିଗତ ଭାବେ ଭେଟି କଥା ହେବେ, ନଚେତ୍ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମଧ୍ୟ ଏହି ଆଲୋଚନା ହୋଇପାରିବ । ଏହାସହ କମିଟି ସଦସ୍ୟ କହିଛନ୍ତି ଯେ, କେବଳ ଚାଷୀ ନୁହେଁ, ସରକାର ଚାହିଁଲେ ମଧ୍ୟ କମିଟି ଆଲୋଚନା କରିବ ।

ତେବେ କମିଟି ଆଗରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆନ୍ଦୋଳନକାରୀ ଚାଷୀ କଥା ହେବେ କି ନାହିଁ । କମିଟି ଆଗରେ ହାଜର ହେବେ ନାହିଁ ବୋଲି ପୂର୍ବରୁ ଚାଷୀନେତା ଏକାଧିକ ବାର କହିସାରିଛନ୍ତି । ଏହାସହ କମିଟିର ସଦସ୍ୟମାନେ ସରକାର ସପକ୍ଷବାଦୀ ବୋଲି ଚାଷୀନେତା ଅଭିଯୋଗ କରିସାରିଛନ୍ତି । ଏପରିକି ଏହି ଅଭିଯୋଗ ପରେ କମିଟିର ସଦସ୍ୟ ପଦରୁ ଚାଷୀ ନେତା ଭୂପିନ୍ଦର ସିଂ ମାନ ନିଜକୁ ଦୂରେଇ ନେଇଥିଲେ ।

ନୂଆ କୃଷି ଆଇନ ଲାଗୁ ଉପରେ ଏବେ ସୁପିମକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି । ଏହାସହ କୃଷି ଆଇନ ଉପରେ ରିପୋର୍ଟ ଦେବାକୁ ଏକ ୪ ଜଣିଆ କମିଟି ଗଠନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।