ଦାରିଦ୍ର୍ୟ ଭିତରୁ ବାହାରିବେ ଡାକ୍ତର । ନିଟ୍ ପରୀକ୍ଷାରେ ସଫଳ ହେଲେ ଗରିବ ଘରର ପିଲା

321

କନକ ବ୍ୟୁରୋ: ଯେତେବେଳେ ବହୁ ପିଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଟ୍ ପରୀକ୍ଷାରେ ସଫଳ ହୋଇପାରୁନାହାଁନ୍ତି । ଭଲ ରାଙ୍କ ରଖି ପାରୁ ନାହାଁନ୍ତି, ସେତିକିବେଳେ ଚଳିତ ବର୍ଷ ନିଟ୍ ପରୀକ୍ଷା ଫଳାଫଳରୁ ଆସିଛି ପ୍ରେରଣାଦାୟୀ ଖବର । ପରିବା ବିକ୍ରି କରୁଥିବା ବାପାର ଝିଅ ନିଟ୍ ପରୀକ୍ଷାରେ ଭଲ ର୍ୟାଙ୍କ ପାଇଛନ୍ତି । ଚାଷୀର ପୁଅ ନିଟରେ କୃତକାର୍ଯ୍ୟ ହୋଇଛନ୍ତି । ଆଉ କରି ଦେଖାଇଛନ୍ତି ନିଷ୍ଠା ଓ ଅଧବସାୟ ବଳରେ କେମିତି ସଫଳତା ପାଇ ହୁଏ ।

  • ନିଟ୍ ପରୀକ୍ଷାରେ ଗରିବ ଘରର ପିଲା ସଫଳ
  • ମେଧା ଆଗରେ ହାର ମାନିଲା ପ୍ରତିବନ୍ଧକ

ଗରିବ ପରିବାରର ପାଠୁଆ ପିଲା ସର୍ବଭାରତୀୟ ନିଟ୍ ପରୀକ୍ଷାରେ ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି ।  ଗଜପତି ଜିଲ୍ଲା ଅଧଭା ଗାଁର ଏକ ଗରିବ ପରିବାର ଇଶ୍ରିତା ପଣ୍ଡା ୧୧ ହଜାର ୮୯୫ ରାଙ୍କ ହାସଲ କରିଛନ୍ତି । ବଡ କଥା ହେଉଛି ଇଶ୍ରିତାଙ୍କ ବାପା ପରିବା ବିକ୍ରି କରି ପରିବାର ଚଳାନ୍ତି । ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ନିଷ୍ଠା ଓ ଅଧ୍ୟାବସାୟ ବଳରେ ସଫଳତା ହାସଲ କରିଛନ୍ତି ଇଶ୍ରୀତା । ସେହିପରି ଗଞ୍ଜାମ ଜିଲ୍ଲା ମଥୁରା ଗାଁର ଶାନ୍ତନୁ ଦଳାଇ ନିଟ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୧୯ହଜାର ୬୭୮ ରାଙ୍କ ହାସଲ କରିଛନ୍ତି । ଶାନ୍ତନୁଙ୍କ ବାପା ଘନଶ୍ୟାମ ଜଣେ ଚାଷୀ । ଉଭୟ ଶାନ୍ତନୁ ଓ ଇଶ୍ରୀତା ଦ୍ୱିତୀୟ ପ୍ରୟାସରେ ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।

ନିଷ୍ଠା ଓ ଅଧ୍ୟବସାୟ ବଳରେ ସମସ୍ତ ବାଧାକୁ ଅତିକ୍ରମ କରି କିପରି ସଫଳତା ହାସଲ କରିହୁଏ, ତାହା କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଗୌଡପାଟଣା ଗାଁର ସତ୍ୟଜିତ ନାୟକ । ଏକ ଚାଷୀ ପରିବାରର ପୁଅଁ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ସଫଳତା ୨୨୦୯ ରାଙ୍କରେ ଉତୀର୍ଣ୍ଣ ହୋଇ ଅଞ୍ଚଳର ଗୌରବ ବଢାଇଛନ୍ତି । ଆଗକୁ ସତ୍ୟଜିତ ଜଣେ ଭଲ ଡାକ୍ତର ହେବେ ବୋଲି ଆଶା ରଖିିଛନ୍ତି । ଗରିବ ପରିବାର ପିଲା ସର୍ବଭାରତୀୟସ୍ତର ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ରାଜ୍ୟ ତଥା ଅଞ୍ଚଳର ଗୌରବ ବଢାଇଛନ୍ତି । ପାଠ ପ୍ରତି ନିଷ୍ଠା ଓ ଅଧ୍ୟବସାୟ ତାଙ୍କୁ ସଫଳତା ଆଣି ଦେଇଛି ।