କିଛି ନକହି କିଛି ନଲେଖି ଭାବନାରେ କରିହେଉଛି ଟ୍ୱିଟ୍ । ପ୍ରଯୁକ୍ତି ବିଜ୍ଞାନରେ ବିଚିତ୍ର ସଫଳତା ।

153

କନକ ବ୍ୟୁରୋ: ନା କିଛି କହିଲେ ନା କିଛି ଟାଇପ କଲେ ହେଲେ ଆପେ ଆପେ ପୋଷ୍ଟ ହୋଇଗଲା ଟ୍ୱିଟ୍ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି କଥାଟା କିନ୍ତୁ ଏକଦମ ସତ । ଏପରି ଘଟଣା ଘଟିଛି ଅଷ୍ଟ୍ରେଲିଆରେ । ଭାବନାରେ ହିଁ ପୋଷ୍ଟ ହୋଇଗଲା ବ୍ୟକ୍ତିଙ୍କ ଟ୍ୱିଟ୍ ।

ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ଆମିଓଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ ନାମକ ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି । ଏଥିରେ ନା କିଛି କହିହୁଏ ନା କିଛି କରିହୁଏ । ଶରୀରର ସାମାନ୍ୟ ଗତି ମଧ୍ୟ ଅସମ୍ଭବ । ହେଲେ ଏପରି ଅସାଧ୍ୟ ସମସ୍ୟା ଭୋଗୁଥିବା ଜଣେ ଅଷ୍ଟ୍ରେଲିଆ ନାଗରିକ ଫିଲିପ୍ ଓ କିଫ୍ କିନ୍ତୁ ଟ୍ୱିଟ୍ କରି ନିଜ ମନ କଥା ଜଣାଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ହେଲେ ଏହାକୁ ସମ୍ଭବ କରିପାରିଛି ବିଜ୍ଞାନ ।

ପକ୍ଷାଘାତ ପରି ସମସ୍ୟା ଭୋଗୁଥିବା ଜଣେ ବ୍ୟକ୍ତି କିଛି ଟ୍ୱିଟ କରିବାରେ ଏହା ପ୍ରଥମ ଓ ବିରଳ ଘଟଣା । ଫିଲିପ୍ ଓ କିଫ୍ ହେଉଛନ୍ତି ସେହି ପ୍ରଥମ ବ୍ୟକ୍ତି । ବାସ୍ତବରେ ମସ୍ତିଷ୍କରେ ପେପର୍ କ୍ଲିପ୍ ଆକାରର ଏକ ଚିପ୍ ପ୍ରତିରୋପଣ ଦ୍ୱାରା ଏହା ସମ୍ଭବ ହୋଇଛି । ଅଷ୍ଟ୍ରେଲିଆରେ ରହୁଥିବା ୬୨ ବର୍ଷ ବୟସ୍କ ଫିଲିପ୍ ଓ କିଫ୍ ଗତ ୭ ବର୍ଷ ଧରି ଆମିଓଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ (ଏଏଲ୍ ଏସ୍ )ରେ ପୀଡିତ ଅଛନ୍ତି, ଯାହା ତାଙ୍କ ଶରୀରର ଉପରି ଭାଗ ସମ୍ପୂର୍ଣ୍ଣ ଅଚଳ କରିଦେଇଛି । ସେ ନା କିଛି କହି ପାରୁଛନ୍ତି ନା କିଛି କାମ କରିପାରୁଛନ୍ତି । ଏପରି ଅବସ୍ଥାରେ ବି ସେ ଟ୍ୱିଟ କଲେ କିପରି?

ପ୍ରକୃତରେ ତାଙ୍କ ମସ୍ତିଷ୍କରେ ପ୍ରତିରୋପଣ ହୋଇଛି ଏକ ସ୍ୱତନ୍ତ୍ର ପେପର ଚିପ୍ । ଏହା ଦ୍ୱାରା ତାଙ୍କ ମନର ଯାହା ଭାବନାକୁ ଡିକୋଡିଂ କରି ହୋଇ କମ୍ପ୍ୟୁଟରରେ ଲେଖିଦେଇପାରୁଛି । ଫିଲିପ୍ ଲେଖିଛନ୍ତି : ‘ଛୋଟ ଟ୍ୱିଟ୍ ବଡ ଆଚିଭମେଣ୍ଟ’ । ଏପରି ଲେଖି ସେ ତାଙ୍କ ପାଇଁ ସାହାରା ପାଲଟିଥିବା ସିଙ୍କ୍ରନ୍ କମ୍ପାନୀର ସିଇଓ ଥୋମାସ ଅଙ୍କସଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ତାଙ୍କ ଭଳି ଶରୀରିକ ଭାବେ ଅଚଳ ହୋଇପଡିଥିବା ଲୋକଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛନ୍ତି ବୋଲି ମଧ୍ୟ ଟ୍ୱିଟ କରିଛନ୍ତି ଫିଲିପ୍ ।

ସିଙ୍କ୍ରୋନସ୍ କମ୍ପାନୀ ସେମାନଙ୍କ ମସ୍ତିଷ୍କରେ ଏକ ମାଇକ୍ରୋଚିପ୍ ଲଗାଇଛି ଏବଂ ସେମାନଙ୍କୁ ସେମାନଙ୍କର ଚିନ୍ତାଧାରାକୁ ଶବ୍ଦରେ ପରିଣତ କରିବାର ଶକ୍ତି ଦେଇଛି ।ଫିଲିପଙ୍କ ମସ୍ତିଷ୍କରେ ଏପରି ମାଇକ୍ରୋ ଚିପ୍ ସଂଲଗ୍ନ ହୋଇଛି ଯାହା ତାଙ୍କ ଭାବନାକୁ ପଡିପାରି ଏହାକୁ ଭାଷାରେ ବଦଳାଇ ପାରୁଛି । ଏହି ପ୍ରକିୟା ବେଶ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ଫିଲିପ୍ । ଏପରି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ସିଙ୍କ୍ରୋନସ୍ କମ୍ପାନୀର ସିଇଓ ଥୋମାସ ଅଙ୍କସଲି । ଶରୀରିକ ଓ ମାନସିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ତାଙ୍କର ଏହି ପେପର ଚିପ୍ ବାସ୍ତବରେ ଏକ ବରଦାନ ବୋଲି କହିଛନ୍ତି ଅଙ୍କସଲି ।