କନକ ବ୍ୟୁରୋ : ଫେକ୍ ସାଟିଫିକେଟ୍ ମାମଲାର ବଲାଙ୍ଗୀର ଥାନାରେ ପହଂଚିଲା କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ଥାନାରେ ପହଂଚି ପୋଲିସ ପାଖରୁ ତଦନ୍ତ ସଂପର୍କିତ ସମସ୍ତ କାଗଜପତ୍ର ନେଇଛି କ୍ରାଇମବ୍ରାଞ୍ଚ । ଡିଏସପି ଡି.ବି. ଚକ୍ରଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚର ୫ଜଣିଆ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି । କାରବାର ପଛର ମାଷ୍ଟର ମାଇଣ୍ଡ ତଥା ଘରୋଇ କୋଚିଂ ସେଂଟରର ମାଲିକ ମନୋଜ ମିଶ୍ରଙ୍କ କୋଚିଂ ସେଂଟରରେ ଆଜି ଚଢାଉ କରିପାରେ କ୍ରାଇମବ୍ରାଞ୍ଚ । ଏହି ଘଟଣା ପଛରେ ଅଧିକ ରହସ୍ୟ ଜାଣିବାକୁ କ୍ରାଇମବ୍ରାଞ୍ଚ ଟିମ୍ ମନୋଜଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି ।
ପୋଲିସକୁ ଅଭିଯୁକ୍ତ ମନୋଜଙ୍କ ଡାଏରୀ ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଡାଏରୀ ଭିତରେ ସବୁ ହିସାବକିତାବ ଲେଖାଯାଇଛି । କ୍ରାଇମବ୍ରାଞ୍ଚ ଅଧିକ ଲୋକଙ୍କୁ ଗିରଫ କରିବା ପାଇଁ ଏହି ଡାଏରୀ ସହାୟକ ହୋଇପାରେ । ସେପଟେ ତଦନ୍ତ ଯେତିକି ଆଗକୁ ବଢୁଛି ମାମଲା ସହ ଜଡିତ ସେତିକି ତଥ୍ୟ ସାମ୍ନାକୁ ଆସୁଛି । ଓଡ଼ିଶାର ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣ ଯାଏ ସବୁଠି ନକଲି ଶିକ୍ଷାଗତ ସାର୍ଟିଫିକେଟ କାରବାର ଚାଲିଥିବା ବେଳେ ଏହାର ଚେର ବାହାର ରାଜ୍ୟକୁ ଲମ୍ବିଥିବା ସ୍ପଷ୍ଟ ହୋଇଛି । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବା ପରେ ଏହାର ଚେର ୮ ରାଜ୍ୟକୁ ଲମ୍ବିଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି କାରବାରରେ ପ୍ରାୟ ୮ଟି ରାଜ୍ୟ ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟର ଶିକ୍ଷାଗତ ଯୋଗତ୍ୟ ପ୍ରମାଣପତ୍ର କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।