ରାଜସ୍ଥାନରେ ଭାଙ୍ଗିଲା ୩ଶହ ବର୍ଷ ପୁରୁଣା ମନ୍ଦିର । ମନ୍ଦିର ଉପରେ ବୁଲଡୋଜର ମାଡିବା ନେଇ ଗେହଲଟ୍ ସରକାର ଉପରେ ବର୍ଷିଲା ବିଜେପି 

187

କନକ ବ୍ୟୁରୋ: ଦିଲ୍ଲୀ, ୟୁପି, ଗୁଜରାଟ ପରେ ଏବେ ରାଜସ୍ଥାନରେ ଚାଲିଲା ବୁଲଡୋଜର । ହେଲେ ଏଥର ଏକ ୩ଶହ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗିବା ପାଇଁ ପ୍ରଶାସନ ବୁଲଡୋଜର ବ୍ୟବହାର କରିଛି । ଆଉ ରାଜ୍ୟର ଗେହଲଟ ସରକାରଙ୍କ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇଛନ୍ତି ଜନତା । ଆଉ ଘଟଣାର ଫାଇଦା ଉଠାଇଛି ବିଜେପି । କାହିଁକି ୩ଶହ ବର୍ଷ ପୂରୁଣା ମନ୍ଦିରକୁ ଭଙ୍ଗାଗଲା ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି ।

  • ରାଜସ୍ଥାନରେ ଭାଙ୍ଗିଲା ୩୦୦ ବର୍ଷ ପୂରୁଣା ମନ୍ଦିର
  • ମନ୍ଦିର ଭଙ୍ଗାକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା

ରାଜସ୍ଥାନ ଅଲୱର ଜିଲ୍ଲାରେ ମନ୍ଦିର ଉପରେ ପ୍ରଶାସନର ବୁଲଡୋଜର ଚଳେଇବା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ରାଜସ୍ଥାନ ସରକାର ଷଡଯନ୍ତ୍ର କରି ମନ୍ଦିର ଉପରେ ବୁଲଡୋଜର ଚଳାଇ ଧ୍ୱଂସ କରିଦେଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ବଡ ବଡ ବୟାନ ବାଜି କରୁଥିବା ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଘଟଣାକୁ ନେଇ କାହିଁକି ମୁହଁ ଖୋଲି ନାହାନ୍ତି ବୋଲି କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ସେପଟେ ଲୋକଙ୍କ ସମର୍ଥନ ପାଇବା ପାଇଁ ବିଜେପି ପ୍ରହସନ କରୁଥିବା ଅଭିଯୋଗ କରିଛି କଂଗ୍ରେସ ।

ଶୁକ୍ରବାର ଅଲୱର ଜିଲ୍ଲାରେ ଥିବା ୩୦୦ ବର୍ଷ ପୁରୁଣା ମନ୍ଦିର ଉପରରେ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି । ମନ୍ଦିରରେ ଥିବା ଶିବଲିଙ୍ଗ ସମେତ ସମସ୍ତ ଛୋଡ ବଡ ମୂର୍ତିକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଧା । ସେହିପରି ଘଟଣା ପାଇଁ  ସ୍ଥାନୀୟ ବିଧାୟକ ଜୋହରି ଲାଲ ମିନାଙ୍କୁ ଦାୟୀ କରିଛି ବିଜେପି । ଜମିର ସମସ୍ତ କାଗଜ ପତ୍ର ଥାଇ ମଧ୍ୟ ପ୍ରଶାସନ କାହିଁକି ଏହି ପଦକ୍ଷେପ ନେଲା ବୋଲି ପ୍ରଶ୍ନ ଉଠିଛି । ସେପଟେ ପ୍ରଶାସନ ପକ୍ଷରୁ ଏକ ହେଲ୍ପ ଡେକ୍ସ ଜାରି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ୟୁପି. ଏମପି ଓ ଦିଲ୍ଲୀ ପରେ ଏବେ ରାଜସ୍ଥାନ ରାଜନୀତିରେ ପ୍ରବେଶ କରିଛି ବୁଲଡୋଜର । ଦେଶରେ ଏବେ ବୁଲଡୋଜରକୁ ନେଇ ଜୋର ଧରୁଛି ରାଜନୀତି ।