ଅଗ୍ନିପଥ ନିଆଁ ଭିତରେ ଭାରତରେ ୧୨ଘଣ୍ଟିଆ ବନ୍ଦ ପାଳନ। ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଲେ ଦଳୀୟ ସାଂସଦ।

119

କନକ ବ୍ୟୁରୋ : ହୋହାଲ୍ଲା ହଙ୍ଗାମା, ପ୍ରତିବାଦ, ବିରୋଧ ପ୍ରଦର୍ଶନ । କେଉଁଠି ରାସ୍ତା ଉପରେ ପ୍ରଦର୍ଶର୍ନକାରୀ ତ ପୁଣି କେଉଠି ରାସ୍ତା ରୋକ କରୁଛନ୍ତି ବିକ୍ଷୋଭକାରୀ । ଟାୟାର ଜାଳି, ନିଆଁ ଲଗାଇ ନିଜ ଦାବି ଜଣାଉଛନ୍ତି । କେବଳ ସେତିକି ନୁହେଁ ଭାରତ ବନ୍ଦ ନାଁରେ କେଉଁଠି ରେଳ ରୋକ କରାଯାଇଛି ତ ପୁଣି କେଉଁଠି ଚକାଜାମ କରିଛନ୍ତି ବିକ୍ଷୋଭାକାରୀ । ଏହି ସବୁ ଥିଲା ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଭିନ୍ନ ଭିନ୍ନ ଦୃଶ୍ୟ । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ଓ ଛାତ୍ର ସହ ବିଭିନ୍ନ ସଂଗଠନ ଆଜି ଦେଇଥିଲେ ୧୨ଘଣ୍ଟିଆ ବନ୍ଦ ଡାକରା

କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିରୋଧରେ ଦେଶର ଅଧାରୁ ଅଧିକ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆନ୍ଦୋଳନ ଭିତରେ ଆଜି ବିଭିନ୍ନ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ । ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ସ୍ଥାନରେ କଡ଼ାସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସେପଟେ ଉପଦ୍ରବକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏଥିସହ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ମୋବାଇଲ, ସିସିଟିଭି, କ୍ୟାମେରାରେ କଏଦ ହୋଇଥିବା ଫଟୋକୁ ଡିଜିଟାଲ ସାକ୍ଷୀଭାବେ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ, ଚେନ୍ନାଇ, କୋଲକାତା ପରି କିଛି ସହରରେ ଭାରତ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ସେପଟେ ଆଉ କିଛି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି । ସେପେଟ ଅଗ୍ନିପଥ ଯୋଜନା ବିରୋଧରେ ମିଥ୍ୟା ଖବର ପ୍ରଚାର ଉପରେ ରୋକ ଲଗାଇବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ୩୫ଟି ହ୍ୱାଟସଅପ ଗ୍ରୁପକୁ ନିଷିଦ୍ଧ କରାଯାଇଛି ।

ଭାରତ ବନ୍ଦ ଭିତରେ ଯାତାୟତ ବେଶ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ରେଳ ଓ ବସ ସେବା ସବୁଠୁ ଅଧିକ ପ୍ରଭାବିତ ହେବା ଯୋଗୁଁ ଯାତ୍ରୀ ନାହିଁ ନଥିବା ସମସ୍ୟାରେରେ ପଡିଛନ୍ତି । ପାଖାପାଖି ୬ଶହ ଟ୍ରେନ ବାତିଲ ହେବା ସହ କିଛି ଟ୍ରେନର ରୁଟ ବଦଳାଯାଇଛି । ରେଳଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବସିଥିବା ଯାତ୍ରୀଙ୍କ ସମସ୍ୟା ଦେଖିବାକୁ ମିଳିଛି ।

ମେ ୧୪ରେ କେନ୍ଦ୍ର ସରକାର ସେନାରେ ନୂଆ ଭର୍ତ୍ତି ପ୍ରକିୟା ଆରମ୍ଭ କରି ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ । ଯାହାକୁ ଯୁବବର୍ଗ, ପୂର୍ବତନ ସେନାଅଧିକାରୀ ଓ କିଛି ରାଜନୈତିକ ଦଳ ଘୋର ବିରୋଧ କରୁଛନ୍ତି । ସ୍ଥିତିକୁ ଦେଖି ସରକାର ଯୋଜନାରେ କିଛି ପରିବର୍ତ୍ତନ ମଧ୍ୟ କଲେ. ହେଲେ ସ୍ଥିତି ଶାନ୍ତ ହେବା ବଦଳରେ ଦିନକୁ ଦିନ ଉଗ୍ର ହେଉଛି । କୌଣସି ପରିସ୍ଥିିତିରେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରାଯିବନି ବୋଲି ସଫା ସଫା କହିଛନ୍ତି ଉଭୟ ସରକାର ଓ ସେନା । ଗୋଟେ ପଟେ ବିରୋଧାଭାସ ଓ ଅନ୍ୟପଟେ ସରକାରଙ୍କ ନିଷ୍ପତି । ଏହା ଭିତରେ ଦେଶର କୋଟି କୋଟି ସମ୍ପତି ନଷ୍ଟ ହେଉଛି । ଏବେ ପ୍ରଶ୍ନ ଉଠୁଛିି ସରକାରଙ୍କ ଏହି ଯୋଜନାରେ ପ୍ରକୃତରେ କିଛି ବ୍ୟତିକ୍ରମ ରହିଛି ନାଁ ଏହାକୁ ଜାଣିଶୁଣି ରାଜନୈତିକ ପ୍ରସଙ୍ଗ ଭାବେ ଛିଡା କରି ଯୋଜନାରେ ନିଆଁ ଲଗାଯାଉଛି ।