ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୯୩ଟି ଆସନ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ହେବ ମତଦାନ

76

କନକ ବ୍ୟୁରୋ : ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୮ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମତଦାନ ହେବ । ୧୪ଟି ଜିଲ୍ଲାର ମୋଟ ୯୩ଟି ଆସନ ପାଇଁ ମତଦାନ ହେବ । ମୈଦାନରେ ରହିଛନ୍ତି ମୋଟ୍ ୮୩୩ ପ୍ରାର୍ଥୀ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ତାଙ୍କର ଆଠ ମନ୍ତ୍ରୀ ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୨.୫୪ କୋଟି ଭୋଟର ସେମାନଙ୍କ ବିଧାନସଭାର ନେତା ବାଛିବେ ।

ମତଦାନ ପାଇଁ ମୋଟ୍ ୨୬ ହଜାର ୪୦୯ ମତଦାନ କେନ୍ଦ୍ର ରହିଛି । ଏଥିପାଇଁ ମୋଟ୍ ୩୬ ହଜାର ଇଭିଏମ୍ ମେସିନ୍ ବ୍ୟବହାର କରାଯିବ । ୧୪ଟି ଜିଲ୍ଲାରେ ୨୯ ହଜାର ପ୍ରିଜାଇଡିଂ ଅଫିସର ଏବଂ ୮୪ ହଜାରରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୋଟ୍ ଦେବେ । ପ୍ରଧାନମନ୍ତ୍ରୀ ସାବରମତି ନିର୍ବାଚନମଣ୍ଡଳୀର ଭୋଟର । ସେ ଅହମ୍ମଦାବାଦର ଏକ ଉଚ୍ଚ ବିଦ୍ୟାଳୟରେ ଥିବା ମତଦାନ କେନ୍ଦ୍ରରେ ଭୋଟ୍ ଦେବେ । ଦଶନ୍ଧି ଧରି ସାବରମତିି ଆସନକୁ ବିଜେପି ଦଖଲ କରିଆସୁଛି ।

ଏହା ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅହମ୍ମଦାବାଦରେ ଭୋଟ୍ ଦେବେ । ମୋଟ୍ ୧୮୨ ବିଧାନସଭା ଆସନ ମଧ୍ୟରୁ ଡିସେମ୍ବର ୧ରେ ୮୯ ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିଲ।। ଯେଉଁଥିରେ ୬୩.୩୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୯୯ ଟି ଆସନ ଏବଂ କଂଗ୍ରେସ ୭୭ ଟି ଆସନ ପାଇଛି । ଗତ ୨୭ ବର୍ଷ ଧରି ରାଜ୍ୟରେ ବିଜେପି କ୍ଷମତାରେ ଅଛି ।