ରାଜ୍ୟରେ ବର୍ଷକୁ ୯୨.୫% ଇଞ୍ଜିନିୟର୍‌ ବେକାର : ଦକ୍ଷତା ବିକାଶରୁ ଲାଭ କେତେ?

298

କନକ ବ୍ୟୁରୋ : ରାଜ୍ୟରେ ଉତ୍ତୀର୍ଣ୍ଣ ଡିଗ୍ରୀ ଓ ଡିପ୍ଲୋମା ଇଞ୍ଜିନିୟରଙ୍କ ମଧ୍ୟରୁ ହାରାହାରି ମାତ୍ର ୭.୫% ନିଯୁକ୍ତି ପାଉଛନ୍ତି । ସୁତରାଂ ବର୍ଷକୁ ୯୨.୫% ଇଞ୍ଜିନିୟର ଚାକିରି ଅନ୍ବେଷଣରେ ବାରଦ୍ୱାର ହେଉଛନ୍ତି । ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ୨୦୧୮-୧୯ରେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରୁ ୧୫,୯୧୭ ଜଣ ଡିଗ୍ରୀ ଇଞ୍ଜିନିୟର ଉତ୍ତୀର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୧୪୭ ଜଣ ଅର୍ଥାତ ୭.୨% କ୍ୟମ୍ପସ୍‌ ଚୟନ ପ୍ରକ୍ରିୟାରେ ନିଯୁକ୍ତି ପାଇଛନ୍ତି । ସେ ବର୍ଷ ଉତ୍ତୀର୍ଣ୍ଣ ୧୭,୯୦୨ ଜଣ ଡିପ୍ଲୋମା ଇଞ୍ଜିନିୟରଙ୍କ ମଧ୍ୟରୁ ମାତ୍ର ୧୪୪୦ ଜଣ ଅର୍ଥାତ ୮% ସେଣ୍ଟ୍ରାଲ୍‌ ପ୍ଲେସ୍‌ମେଣ୍ଟ ସେଲ୍‌ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି ।

ରାଜ୍ୟରେ ଗଢ଼ି ଉଠିଥିବା ଘରୋଇ ଶିଳ୍ପ ସଂସ୍ଥାରେ ଇଞ୍ଜିନିୟରମାନଙ୍କ ନିଯୁକ୍ତି ସୁଯୋଗ ଥିବା ବେଳେ ସମ୍ପୃକ୍ତ ଶିଳ୍ପ ସଂସ୍ଥାଙ୍କ ସହ ଆଲୋଚନା କରି ସରକାର ସେମାନଙ୍କ ପାଇଁ କୌଣସି ଆରକ୍ଷଣ ବା କୋଟା ବ୍ୟବସ୍ଥା କରିବେ କି ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ମାତ୍ର ମନ୍ତ୍ରୀ ତାଙ୍କ ଉପରଠାଉରିଆ ଉତ୍ତରରେ ‘ଏଭଳି କୌଣସି ପ୍ରସ୍ତାବ ନାହିଁ’ ବୋଲି ଦର୍ଶାଇଛନ୍ତି।

ରାଜ୍ୟ ଦକ୍ଷତା ବିକାଶ କତ୍ତୃର୍ପକ୍ଷଙ୍କ ଅଧୀନରେ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଗତ ୫ ବର୍ଷ (୨୦୧୪-୧୫ରୁ ୨୦୧୮-୧୯) ମଧ୍ୟରେ ନିଜସ୍ୱ ପାଣ୍ଠିରୁ ୪୧ କୋଟି ୨୮ ଲକ୍ଷ ୧,୦୫୫ ଟଙ୍କା ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନୁଦାନରୁ ୨୭ କୋଟି ୭୧ ଲକ୍ଷ ୪୯ ହଜାର ୧୮୪ ଟଙ୍କା (ମୋଟ ୬୮ କୋଟି ୯୯ ଲକ୍ଷ ୫୦ ହଜାର ଟଙ୍କା) ବ୍ୟୟ କରି ୫୫ ହଜାର ୬୭୦ ଜଣ ଯୁବକ-ଯୁବତୀଙ୍କୁ ତାଲିମ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୩, ୪୮୩ ଜଣ ଅର୍ଥାତ ୨୪% ନିଯୁକ୍ତି ପାଇଛନ୍ତି। ସୁତରାଂ ନିଯୁକ୍ତି ଲକ୍ଷ୍ୟରେ ଦକ୍ଷତା ବିକାଶ ତାଲିମ ନେଉଥିବା ପ୍ରାର୍ଥୀଙ୍କ ମଧ୍ୟରେ ୭୬% ବେକାର ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପରୋକ୍ଷରେ ସ୍ୱୀକାର କରିଛନ୍ତି। ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବିଧାନସଭାରେ ଉପରୋକ୍ତ ତଥ୍ୟ ଦେଇଥିବାବେଳେ ଶିଳ୍ପ ସମୃଦ୍ଧ ଜିଲ୍ଲାଗୁଡ଼ିକରେ ନଗଣ୍ୟ ସଂଖ୍ୟକ ଯୁବକ-ଯୁବତୀ ଦକ୍ଷତା ବିକାଶ ତାଲିମରେ ସାମିଲ ହେବା ଭଳି ଆଉ ଏକ ବିଘଟଣ ବିସ୍ମୟ ସୃଷ୍ଟି କରିଛି।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଏହି ୫ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୫୫,୬୭୦ ଜଣଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଥିବାବେଳେ ଶିଳ୍ପସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାର ମାତ୍ର ୨୮୮ ଜଣ (୦.୫୧%), ଅନୁଗୁଳ ଜିଲ୍ଲାର ୧୨୨୦ ଜଣ (୨.୧%), ଢେଙ୍କାନାଳ ଜିଲ୍ଲାର ୧୭୭୩ ଜଣ (୩.୧%), ଦେଶର ଇସ୍ପାତ ରାଜଧାନୀ ଯାଜପୁର ଜିଲ୍ଲାରୁ ୧୧୭୬ ଜଣ (୨.୧%) ଏବଂ ରାଜ୍ୟ ତଥା ଦେଶର ଖଣିଜ ଶିଳ୍ପଗୁଡ଼ିକୁ କଞ୍ଚାମାଲ ଯୋଗାଉଥିବା କେନ୍ଦୁଝର ଜିଲ୍ଲାର ମାତ୍ର ୧୬୯୦ ଜଣ (୩%) ଯୁବକ-ଯୁବତୀ ଏହି ୫ ବର୍ଷରେ ଦକ୍ଷତା ତାଲିମ ପାଇଛନ୍ତି। ତେବେ କେଉଁ କାରଣରୁ ରାଜ୍ୟର ଖଣି ତଥା ଶିଳ୍ପସମୃଦ୍ଧ ଅଞ୍ଚଳର ଯୁବକ-ଯୁବତୀମାନେ ଦକ୍ଷତା ବିକାଶ ତାଲିମ ସୁଯୋଗରୁ ବଞ୍ଚିତ, ତାହା ଜଣାପଡୁନାହିଁ।