ଚୀନରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦେଶର ୬୪ ପ୍ରତିଶତ ବା ୯୦ କୋଟି ଲୋକେ ସଂକ୍ରମିତ ହୋଇଥିବା ନେଇ ସୂଚନା 

133

କନକ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏହାସହିତ ଭାରତ, ଜାପାନ ଓ ଆମେରିକା ଭଳି ଦେଶରେ ମଧ୍ୟ ନୂଆ ଲହରର ବିପଦ ଦେଖା ଦେଇଛି । ଏହାରି ଭିତରେ ଚୀନର ପେକିଂ ୟୁନିଭର୍ସିଟିର ସର୍ଭେ ରିପୋର୍ଟ ଚକିତ କରିଛି । ରିପୋର୍ଟ ଅନୁସାରେ, ଜାନୁଆରୀ ୧୧ ତାରିଖ ସୁଦ୍ଧା ଦେଶରେ ୬୪ ପ୍ରତିଶତ ଅର୍ଥାତ୍ ୯୦ କୋଟି ଲୋକେ କରୋନାରେ ସଂକ୍ରମିତ ହୋଇସାରିଛନ୍ତି ।

ରିପୋର୍ଟରେ ଆହୁରି କୁହାଯାଇଛି, ଗାଂସୁ ପ୍ରଦେଶର ୯୧ ପ୍ରତିଶତ ଜନସଂଖ୍ୟା, ହେନାନ ପ୍ରଦେଶର ୮୯ ପ୍ରତିଶତ, ୟୁନାନର ୮୪ ପ୍ରତିଶତ ଏବଂ କିଂଘାଇର ୮୦ ପ୍ରତିଶତ ଲୋକେ ସଂକ୍ରମିତ ହୋଇଛନ୍ତି । ସେପଟେ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଚୀନରେ କୋଭିଡ୍ ସଂକ୍ରମଣ ଶୀର୍ଷରେ ପହଂଚିବା ସହ ଗ୍ରାମାଂଚଳରେ ଅଧିକ ସଂକ୍ରମିତ ହେବା ନେଇ ଚୀନର ସ୍ୱାସ୍ଥ୍ୟ ବିଶେଷଜ୍ଞ ଜେଙ୍ଗ ଗୁଆଙ୍ଗ ଦାବି କରିଛନ୍ତି । ଗ୍ରାମାଂଚଳରେ କରୋନା ସଂକ୍ରମଣ ବ୍ୟାପିବା ପଛରେ ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହୋଇଥିବା ଲୁନାର ନ୍ୟୁଇୟର ଛୁଟିକୁ ଦାୟୀ କରାଯାଇଛି । ଚୀନରେ ନୂଆବର୍ଷରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ବୋଲି ଡବ୍ଲ୍ୟୁଏଚଓ ମଧ୍ୟ ଚେତାବନୀ ଦେଇଥିଲା । ସୂଚନା ଅନୁସାରେ, ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ଚୀନରେ ଗତବର୍ଷ ନଭେମ୍ବରରେ କୋଭିଡ୍ ସମ୍ବନ୍ଧିତ ସମସ୍ତ କଟକଣା ହଟାଯାଇଥିଲା ଏବଂ ଗତ ସପ୍ତାହରୁ ସୀମାଗୁଡ଼ିକୁ ମଧ୍ୟ ଖୋଲିଦିଆଯାଇଥିଲା । କଟକଣା କୋହଳ ହେବା ଦ୍ୱାରା ଚୀନରେ ସଂକ୍ରମଣ ଅଧିକ ବ୍ୟାପିଥିଲା ।