ମୟୂରଭଂଜରୁ ୯ ଜଣଙ୍କ ଜୀବନ ନେଇଛି ବାହାନଗା ଟ୍ରେନ ଦୁର୍ଘଟଣା: ୨୦ ଯାତ୍ରୀଙ୍କ ଅବସ୍ଥା ଗୁରୁତର 

171

କନକ ବ୍ୟୁରୋ: ରେଳ ଦୁର୍ଘଟଣାରେ ମୟୁରଭଞ୍ଜର ଦୁଃଖ । କରମଣ୍ଡଳ ଦୁର୍ଘଟଣାକୁ ୫ ଦିନ ବିତିଯାଇଛି । କୁଢ଼ କୁଢ଼ ଶବ ମଧ୍ୟରେ ହଜିଯାଇଛି ଶହଶହ ପରିବାରର ହସ ଖୁସି ଓ ଭବିଷ୍ୟତ । ତେବେ ସରକାରୀ ତଥ୍ୟ ଅନୁସାରେ ଏହି ଦୁର୍ଘଟଣା ଓଡ଼ିଶାରୁ ୩୯ ଜଣଙ୍କ ଜୀବନ ନେଇଛି କରମଣ୍ଡଳ । ସେମାନଙ୍କ ମଧ୍ୟରେ ମୟୂରଭଂଜରୁ ୯ ଜଣ ରହିଛନ୍ତି । ସେହିଭଳି ଜିଲ୍ଲାର ୨୦ରୁ ଅଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ମୋରଡ଼ା ବ୍ଲକ୍ ଅନ୍ତର୍ଗତ ପୁଟକିଶୋଳ ଗାଁର ୪ ଜଣ ସାଙ୍ଗ । ୪ ଜଣ ଯୁବକ ସାଙ୍ଗ ରୋଜଗାର ଆଶାରେ ଚେନ୍ନାଇ ଯାଉଥିଲେ । ବାଲେଶ୍ୱରରୁ କରମଣ୍ଡଳ ଟ୍ରେନରେ ଚଢିଥିଲେ । ମାତ୍ର କେଇ ମିନିଟ୍ ରେଳ ଯାତ୍ରା କରିବା ପରେ ସବୁ ସ୍ୱପ୍ନ ଧୂଳିସାତ ହୋଇଗଲା । ଶୁକ୍ରବାର ସଂଧ୍ୟାର ସେଇ ଦୁର୍ଘଟଣାରେ ୩ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଆଉ ଜଣଙ୍କ ପତା ମିଳୁନାହିଁ । ତେବେ ମୃତକ ତିନି ଜଣ ହେଉଛନ୍ତି – ଭାରତ ଦାସ, କୀର୍ତନ ସି ଓ ସତ୍ୟନାଥ ପାଟବନ୍ଧା । ଏବଂ ନିଖୋଜ ଯୁବକ ଜଣକ ହେଉଛନ୍ତି ବ୍ରହ୍ମାକାନ୍ତ ଦାସ ।

ରୋଜଗାରର ସ୍ୱପ୍ନ ନେଇ ଚେନ୍ନାଇ ଯାଉଥିବା ପୁଅ ଶବ ହୋଇଯିବା ପରେ ପରିବାର ଦୁଃଖ ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ସେହିଭଳି ବାଙ୍ଗିରିପୋଷି ବ୍ଲକ୍ ସୋରିଷପାଳ ଗାଁର ଶଙ୍କର ମାର୍ଣ୍ଡି ଚେନ୍ନାଇ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଆନ୍ଦୋଳା ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଇଂଜିନିୟରିଂ ପଢ଼ୁଥିବା ପୁଅ ଜଗଦୀଶ ସାହୁ କଟକ ଯାଉଥିଲେ । ହେଲେ ତାଙ୍କୁ ଜଣାନଥିଲା ଶୁକ୍ରବାରର କରମଣ୍ଡଳ ଟ୍ରେନ ତାଙ୍କୁ କଟକରେ ପହଂଚାଇବା ବଦଳରେ ମଶାଣିରେ ପହଂଚାଇ ଦେବ । ଏହାସହ କପ୍ତିପଦା ବ୍ଲକ୍ ସୌଭାଗ୍ୟପୁରର ରଜନୀକାନ୍ତ ବେହେରା, ଜିବି ନଗର ବ୍ଲକ୍ କୁଶଳଦାର ଗଣେଶ୍ୱର ସିଂ, କୁଳିଅଣା ବ୍ଲକ୍ ଗେଣ୍ଡାପୋଖରୀ ଗାଁର ସୁନାରାମ ହାଁସଦାଙ୍କ ଜୀବନ କରମଣ୍ଡଳ ନେଇଛି । ରାସଗୋବିନ୍ଦପୁର ବ୍ଲକ୍ ମଙ୍ଗଳପୁର ଗାଁର ମୃତୁଞ୍ଜୟ ଦାସଙ୍କ ଦୁଇ ପୁଅ ଅନୁରାଗ ଓ ଦିବୈନ୍ଦୁ ଖୋର୍ଦ୍ଧାରେ ସିଟି ପରୀକ୍ଷା ଦେଇ ଜୋଶବନ୍ତପୁର- ହାୱଡା ଏକ୍ସପ୍ରେସରେ ଘରକୁ ଫେରୁଥିଲେ । ଆଉ ମାତ୍ର ୮ ରୁ ୧୦ ମିନିଟ୍ ମଧ୍ୟରେ ବାଲେଶ୍ୱର ଷ୍ଟେସନରେ ପହଂଚି ଘରକୁ ଯାଇଥାନ୍ତେ । ହେଲେ ବାହାନଗା ଦୁର୍ଘଟଣାରେ ସବୁ ଓଲଟପାଲଟ ହୋଇଗଲା । ଟ୍ରେନ ଦୁର୍ଘଟଣାରେ ବଡ଼ଭାଇ ଅନୁରାଗଙ୍କର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଦିବୈନ୍ଦୁ ଏବେ ହସ୍ପିଟାଲ ବେଡ଼ରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ତେବେ ଲୌହ ଦାନବର ରକ୍ତଭୋଜିର ସେଇ କାଳ ରାତ୍ରୀକୁ ଦେଶବାସୀ ଚାହିଁଲେ ମଧ୍ୟ କେବେ ଭୁଲି ପରିବେନି । ମୃତକଙ୍କ ପରିବାରକୁ ଏବେ ସରକାର ସହାୟତାରାଶି ପ୍ରଦାନ କରୁଛନ୍ତି, ହେଲେ ଏତେ ବଡବଡ ମୂଲ୍ୟବାନ ଜୀବନ ବିନିମୟରେ କେଇଟା ଟଙ୍କା କେବେବି ଗୋଟିଏ ଅସଯୋଡ଼ା ପରିବାରକୁ ସଜାଡି ପାରିବ ନାହିଁ ।