କନକ ବ୍ୟୁରୋ : ମା’ ନା ରାକ୍ଷସୀ । କୁନି ଛୁଆ କାନ୍ଦିଲା ବୋଲି ସବୁଦିନ ଶୁଆଇଦେଲା ମା’ । ଏଭଳି ଏକ ଘଟଣା ଆମେରିକାର ଫ୍ଲୋରିଡାରୁ ସାମ୍ନାକୁ ଆସିଛି । ୯ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଏଥିରେ ମା’ର ସମ୍ପୃକ୍ତି ରହିଛି । ମିଳିଥିବା ସୂଚନା ମୁତାବକ, ୨୬ ଜୁନରେ ଫ୍ଲୋରିଡାର ଏକ ଘରୁ ୯ ମାସର ଶିଶୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାକୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୁନି ଶିଶୁର ମୃତ୍ୟୁ ହୋଇଥିଲା । ପ୍ରାଥମିକ ତଦନ୍ତ ବେଳେ ଛୁଆର ମୃତ୍ୟୁ ନେଇ ମା’ କିଛି ଜାଣିନଥିବା କହିଥିଲେ । କିନ୍ତୁ ଦିନ ବିତିବା ସହ ଏହି ଘଟଣା ଉପରୁ ପରଦା ହଟିଥିଲା ।
କୁନି ଶିଶୁର ମୃତଦେହର ଯାଞ୍ଚ ପରେ ଜଣାପଡିଥିଲା ଯେ, ଶିଶୁର ଶରୀରରେ ୧୦ ଜଣଙ୍କୁ ମୃତ୍ୟୁ ଦେଇପାରିବା ଭଳି ପର୍ଯ୍ୟାପ୍ତ ପରିମାଣର ଫେଣ୍ଟାନାଇଲ ଥିଲା । ପରେ ଏନେଇ ମା’କୁ ପଚରାଉଚରା କରିବା ପରେ ସାଂଘାତିକ ସତ ସାମ୍ନାକୁ ଆସିଥିଲା । ମୃତ ଶିଶୁର ମା’ କହିଥିଲେ, ଯେଉଁଦିନ ଶିଶୁର ମୃତ୍ୟୁ ହୋଇଥିଲା ସେଦିନ ମୁଁ ବହୁତ ଥକି ପଡିଥିଲି । ଶୋଇବାକୁ ଚାହୁଁଥିଲି, କିନ୍ତୁ ମୋର କୁନି ଶିଶୁ ବହୁତ ଜୋରରେ କାନ୍ଦୁଥିଲା, ଚୁପ ହେଉନଥିଲା । ଯେଉଁଥିପାଇଁ କ୍ଷୀର ବୋତଲରେ କିଛି ନିଶାଦ୍ରବ୍ୟ ମିଶାଇଥିଲି । ନିଶାଦ୍ରବ୍ୟ ମିଶ୍ରିତ କ୍ଷୀର ପିଇବା ପରେ କୁନି ଶିଶୁ ଶୋଇପଡିବ ବୋଲି ଭାବୁଥିଲି କିନ୍ତୁ ଜାଣିନଥିଲି ତାହା ଫେଣ୍ଟାନାଇଲ ଥିଲା ବୋଲି ।
ଯାଞ୍ଚ ପରେ ଅଧିକାରୀ କହିଛନ୍ତି, ଏଭଳି କେଉଁ ମା’ କରେ? ଏହା ସାମାନ୍ୟ ଘଟଣା ନୁହେଁ । ଏହି ମହିଳା ଜଣକ ମାନସିକ ଭାବେ ରୋଗଗ୍ରସ୍ତ । ଜଣେ ମା’ ତାର କୁନି ଶିଶୁ ପାଇଁ ଏଭଳି କରିବ ତାହା ବିଶ୍ୱାସ ବାହାରେ । ଏଥିପାଇଁ ଜଣେ କୁନି ଶିଶୁର ଜୀବନ ଯିବା ଗ୍ରହଣଯୋଗ୍ୟ କେବେ ବି ନୁହେଁ । ତେବେ ଅଭିଯୁକ୍ତ ମା’ଙ୍କ ଉପରେ ହତ୍ୟା ଓ ନିଷେଧ ଡ୍ରଗ୍ସ ରଖିବାର ମାମଲା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/best_baby_formula-getty_creative.webp)