ଏପ୍ରିଲ ମାସରୁ ହଟିବ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି । ସୂଚନା ଦେଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ

405

କନକ ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲ ମାସରୁ ହଟିବ ୯ ଲକ୍ଷ ପୁରୁଣା ସରକାରୀ ଗାଡ଼ି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ଏପ୍୍ରିଲ ୧ରୁ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ିକୁ ହଟାଯିବ । ଏହା ବଦଳରେ ନୂଆ ଗାଡ଼ି ଅଣାଯିବ । ଇଥାନଲ, ମିଥାନଲ, ବାୟୋ-ସିଏନଜି, ବାୟୋ-ଏଲଏନଜି ଏବଂ ଇଲେକ୍ଟ୍ରିକ ଯାନର ଅଧିକ ବ୍ୟବହାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି ହଟିବା ଦ୍ୱାରା ପ୍ରଦୁଷଣ ହ୍ରାସ ପାଇବ ବୋଲି ନୀତିନ ଗଡ଼କରୀ କହିଛନ୍ତି । ବିଶେଷକରି ପ୍ରଦୂଷଣ କରୁଥିବା ବସ୍ ଓ କାର୍ ଗୁଡ଼ିକୁ ହଟାଯିବ ବୋଲି ସୂଚନା ମିଳିଛି । ସେସବୁ ବଦଳରେ ନୂଆ ଗାଡ଼ିରେ ବିକଳ୍ପ ଇନ୍ଧନ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯିବ । ପୁରୁଣା ଗାଡ଼ି ଗୁଡ଼ିକର ପଞ୍ଜୀକରଣ ରଦ୍ଦ କରାଯିବ ଏବଂ ସେଗୁଡ଼ିକୁ ସ୍କ୍ରାପରେ ପରିଣତ କରାଯିବ । ତେବେ ପ୍ରତିରକ୍ଷା କିମ୍ବା ଆଇନ୍ ଶୃଙ୍ଖଳା ପରିସ୍ଥିତି ଦିଗରେ ବ୍ୟବହାର ହେଉଥିବା ସଶସ୍ତ୍ର କିମ୍ବା ସ୍ୱତନ୍ତ୍ର ଗାଡ଼ି ପାଇଁ ଏହି ନିଷ୍ପତି ଲାଗୁ ହେବ ନାହିଁ ।

୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ହାସଲ କରିବା ଲାଗି ପରିବହନ କ୍ଷେତ୍ରରୁ ନିର୍ଗମନ ହେଉଥିବା ଅଙ୍ଗାରକାମ୍ଳକୁ ତୁରନ୍ତ ହ୍ରାସ କରିବାକୁ ପଡ଼ିବ । ସେଥିପାଇଁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଇବାକୁ ହେବ ବୋଲି ଗଡ଼କରୀ କହିଛନ୍ତି । ସୂଚନା ଅନୁସାରେ, ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଭେହିକଲ ସ୍କ୍ରାପେଜ ପଲିସିର ଶୁଭାରମ୍ଭ କରିଥିଲେ । ଏହା ଅନଫିଟ ଓ ପ୍ରଦୂଷଣକାରୀ ଗାଡ଼ିଗୁଡ଼ିକୁ ହଟାଇବା ଦିଗରେ ସହାୟକ ହେବା ସହ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହନ କରିବ ବୋଲି ସେ କହିଥିଲେ ।