ମହାରାଷ୍ଟ୍ରରେ ମହାମାରୀ ଅସମ୍ଭାଳ : କାହିଁକି ବଢୁଛି ସଂକ୍ରମଣ ? ମହାରାଷ୍ଟ୍ର ପାଇଁ ଚିନ୍ତାରେ ଦେଶ

128

କନକ ବ୍ୟୁରୋ : ଦେଶରେ ଡରେଇଲାଣି କରୋନା ଭୂତାଣୁ । ପ୍ରଥମ ଥର ଆସିଥିବା କରୋନା ଭୂତାଣୁର ଭୂତ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଦେଖା ଦେଲାଣି ଦ୍ୱିତୀୟ ଲହର । ଆଉ ଦେଶର ମହାରାଷ୍ଟ୍ରରେ ଏହାର ସ୍ଥିତି ସବୁଠାରୁ ଜଟିଳ ରୂପ ଧାରଣ କରିଛି । ଏହା କୌଣସି ଏକ ସାଧାରଣ ସଂଖ୍ୟା ନୁହଁ । ଏହା ହେଉଛି ମହାରାଷ୍ଟ୍ରରେ ଫେବ୍ରୁଆରୀ ୨୪ରେ ଆସିଥିବା ନୂଆ ସଂକ୍ରମିତଙ୍କ ସଂଖ୍ୟା । ଏପରି ସଂଖ୍ୟା ଦେଖିବା ପରେ ମହାରାଷ୍ଟ୍ର ପ୍ରଶାସନର ନିଦ ହଜିଗଲାଣି । କାରଣ ଗୋଟିଏ ଦିନ ଆଗରୁ ରାଜ୍ୟରେ ଆସିଥିଲା ମାତ୍ର ୬୨୧୮ ନୂଆ ସଂକ୍ରମିତ । ହେଲେ ୨୪ ଘଂଟା ଭିତରେ ଏହି ସଂଖ୍ୟା କେମିତି ୮ ହଜାର ଟପି ୯ ହଜାରର ପାଖାପାଖି ପହଁଚିଗଲା । ଏହା ସହିତ ମହାରାଷ୍ଟ୍ରରେ ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯ ଛୁଇଁଛି ।

– ମହାରାଷ୍ଟ୍ର ସରକାରଙ୍କ ନିଦ ହଜେଇଲାଣି କରୋନା
– ମଙ୍ଗଳବାର ମହାରାଷ୍ଟ୍ରରେ ନୂଆ ସଂକ୍ରମିତ ସଂଖ୍ୟା ୬୨୧୮
– ବୁଧବାର ମହାରାଷ୍ଟ୍ରରେ ନୂଆ ସଂକ୍ରମିତ ସଂଖ୍ୟା ୮୮୦୭
– ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୨୧ ଲକ୍ଷ ୨୧ ହଜାର ୧୧୯

ବଢୁଥିବା ସଂକ୍ରମଣ ଭିତରେ ମହାରାଷ୍ଟ୍ରର ବିଦର୍ଭ ଅଂଚଳକୁ କରୋନାର ନୂଆ ଏପିସେଂଟର ବୋଲି କୁହାଯାଉଛି । ଏହାକୁ ନିୟନ୍ତ୍ରଣକୁ ଅଣାନଗଲେ , ଏହି ସଂକ୍ରମଣ ଦେଶର ଅନ୍ୟ ସ୍ଥାନକୁ ବି ବଢିପାରେ ।

– ଗତ ୪ ମାସରେ ଦିନକରେ କରୋନା ସଂକ୍ରମଣରେ ସର୍ବାଧିକ
– ମାସକରେ ଦିନକରେ ୮ ହଜାରରୁ ଅଧିକ ସଂକ୍ରମଣ
– ବିଦର୍ଭ, ନାଗପୁର, ଅମରାବତୀ, ଔରଙ୍ଗାବାଦ ନୂଆ ଏପିସେଂଟର

ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ୮୮୦୭ ସଂକ୍ରମିତ । ମହାରାଷ୍ଟ୍ରର ସଂକ୍ରମଣ ରିପୋର୍ଟକୁ ଦେଖିଲେ ଗତ ୧୨୯ ଦିନରେ ଏହା ହେଉଛି କରୋନାର ସବୁଠାରୁ ବଡ ଉତଥାନ୍ । କାରଣ ଗତ ଅକ୍ଟୋବର ୧୮ ତାରିଖରେ ମହାରାଷ୍ଟ୍ରରେ ୯ ହଜାର ୬୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ସହିତ ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୮୦ ଜଣଙ୍କ ଜୀବନ ନେଇଛି ଭୂତାଣୁ । ମହାରାଷ୍ଟ୍ରରେ ମୋଟ୍ ସଂକ୍ରମିତ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯ । ବର୍ତମାନ ସକ୍ରିୟ ସଂକ୍ରମିତ ସଂଖ୍ୟା ୫୯ ହଜାର ୩୫୮ ରହିଛି । କରୋନା ମୃତ୍ୟୁ ସଂଖ୍ୟା ୫୧ ହଜାର ୯୩୭ ରହିଛି ।

ମହାରାଷ୍ଟ୍ରରେ କାହିଁକି ବଢୁଛି ସଂକ୍ରମଣ ?
ଥିଓରୀ ୧- ଭୂତାଣୁର ସଂରଚନା , ଭୂତାଣୁ ବ୍ୟାପିବାର କ୍ଷମତା
ଥିଓରୀ ୨- ସଂକ୍ରମିତ ବ୍ୟାକ୍ତି ଅନ୍ୟ ବ୍ୟକ୍ତିଙ୍କୁ ଭୂତାଣୁ ସଂକ୍ରମିତ କରାଇବା
ଥିଓରୀ ୩- ପର୍ଯ୍ୟାବରଣ, ଜଳବାୟୁ, ପ୍ରଦୂଷଣ ଏବଂ ବାସସ୍ଥାନର ଅବସ୍ଥିତି

ବିଶେଷଜ୍ଞଙ୍କ କହିବା ଅନୁସାରେ କୌଣସି ବି ଭୂତାଣୁ ହେଉ, ଏହାର ଗ୍ରାଫ୍ ଉପରକୁ ଯାଇଥାଏ, ତଳକୁ ବି ଖସିଥାଏ । ସେହିଭଳି ଅବସ୍ଥା ଘଟିଛି କରୋନା ଭୂତାଣୁ ସହିତ । ତେବେ ମହାରାଷ୍ଟ୍ରରେ କେଉଁ କାରଣରୁ ଏହି ଭୂତାଣୁ ସଂକ୍ରମଣ ହଠାତ୍ ବ୍ୟାପିବାରେ ଲାଗିଛି, ଏନେଇ ଆଇସିଏମଆର ପକ୍ଷରୁ କିଛି ମଧ୍ୟ ସ୍ପଷ୍ଟ କରାଯାଇନାହିଁ । ତେବେ ପୁଣେ ଠାରେ ଅବସ୍ଥିତ ନ୍ୟାସନାଲ ଇନଷ୍ଟିଚୁଟ୍ ଅଫ୍ ଭାୟରୋଲଜି ଏବଂ ନେସନାଲ ସେଂଟର ଫର ଡିଜିଜ୍ କଂଟ୍ରୋଲ ନୂଆଦିଲ୍ଲୀ କୁ ବିଦର୍ଭର ୮ଟି ଜିଲ୍ଲାରୁ ନମୁନା ପଠାଯାଇଛି । ଏହି ଠାରୁ ପରୀକ୍ଷା ପରର ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ, ମହାରାଷ୍ଟ୍ରର କରୋନା ଏପିସେଂଟର ବନିବାକୁ ଯାଉଥିବା ବିଦର୍ଭରେ କାହିଁକି ବଢୁଛି କରୋନା ସଂକ୍ରମଣ ।