ପ୍ରକାଶ ପାଇଲା ଏନ୍ସିଆର୍ବିର ‘କ୍ରାଇମ୍ ଇନ୍ ଇଣ୍ଡିଆ-୨୦୧୯’ ରିପୋର୍ଟ : ଓଡ଼ିଶାରେ ମହିଳାଙ୍କ ଉପରେ ବଢ଼ିଛି ଅତ୍ୟାଚାର
କନକ ବ୍ୟୁରୋ : ଓଡିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ମାମଲାରେ ୧୪.୩୪ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୮ ମସିହାରେ ଏ ସମ୍ପର୍କିତ ମାମଲା ସଂଖ୍ୟା ଥିଲା ୨୦,୨୭୪। ୨୦୧୯ ମସିହାରେ ଏହା ୨୩,୧୮୩ରେ ପହଞ୍ଚିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି)ର ସଦ୍ୟ ପ୍ରକାଶିତ ‘କ୍ରାଇମ ଇନ ଇଣ୍ଡିଆ-୨୦୧୯’ ରିପୋର୍ଟରୁ ଏହା ଜଣାପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
‘କ୍ରାଇମ ଇନ୍ ଇଣ୍ଡିଆ-୨୦୧୯’ ତଥ୍ୟରେ ଓଡ଼ିଶାର ବିଭିନ୍ନ ମାମଲାର ସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିଛି। ତଦନୁଯାୟୀ, ମହିଳାଙ୍କ ସମ୍ପର୍କିତ ସାଇବର୍ କ୍ରାଇମ୍ ଅପରାଧରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ୨୦୧୯ ମସିହାରେ ସମଗ୍ର ଦେଶରେ ଏ ସମ୍ପର୍କିତ ସମୁଦାୟ ୧୬୨୧ଟି ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ଓଡ଼ିଶାର ମାମଲା ସଂଖ୍ୟା ୩୯୦ ହୋଇଥିବାବେଳେ ୩୨୯ଟି ମାମଲା ସହ ଆସାମ ଦ୍ବିତୀୟ ସ୍ଥାନରେ ରହିଛି। ସେହିଭଳି, ଓଡ଼ିଶାରେ ମହିଳାଙ୍କୁ ସମ୍ମାନହାନି ଉଦ୍ଦେଶ୍ୟରେ ଆକ୍ରମଣ ମାମଲାରେ ୫୦.୫ ପ୍ରତିଶତ ବୃଦ୍ଧି ଘଟିଛି। ମହିଳାଙ୍କୁ ଉଲଗ୍ନ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ଆକ୍ରମଣ ଓ ଆପରାଧିକ ବଳ ପ୍ରୟୋଗ କରିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶାରେ ଏ ସମ୍ପର୍କିତ ୨୮୧୬ ମାମଲା ପଞ୍ଜିକୃତ ହୋଇଛି।