ଆରଟିଆଇରୁ ସାମନାକୁ ଆସିଲା କଳା ଧନର ସତ । ଦେଶ ଓ ବିଦେଶରୁ ଠାବ ହୋଇଛି ୮୦ ହଜାର କୋଟିରୁ କମ କଳାଧନ । ହେଲେ ରାଜକୋଷକୁ ଆସିଛି ମାତ୍ର ୩ ହଜାର କୋଟି

207

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ୨୦୧୪ କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ ବିଦେଶରେ ଏତେ କଳାଧନ ଅଛି ଯଦି ଦେଶ ଭିିତରକୁ ଅଣାଯାଏ ମୁଣ୍ଡ ପିଛା ୧୫ରୁ ୨୦ ଲକ୍ଷ ଟଙ୍କା ହିସାବରେ ଆସିଯିବ । ଅର୍ଥାତ୍ ୧୪୦ କୋଟି ଲୋକଙ୍କ ପାଇଁ କେବଳ ବିଦେଶରୁ ଆସିଯିବ ୨୧୦୦ ଲକ୍ଷ କୋଟି ଟଙ୍କାର କଳାଧନ । ହେଲେ ଗତ ୮ ବର୍ଷରେ ବିଦେଶରୁ ଏପର୍ଯ୍ୟନ୍ତ ମାତ୍ର ପ୍ରାୟ ୧୫୫ କୋଟି ଟଙ୍କା ମିଳିଥିବା ସୂଚନା ଅଧିକାର ଆଇନ ବଳରେ ଆସିଥିବା ତଥ୍ୟରୁ ଜଣାପଡିଛି । ଅନ୍ୟପଟରେ ଏହି ଆଠ ବର୍ଷରେ ଦେଶ ଭିତରୁ ଜରିମାନା ଓ ଟିକସ ଆକାରରେ ମାତ୍ର ୨୪୭୬ କୋଟି ଟଙ୍କା ରାଜସ୍ୱ ଆସିଥିବା ଜଣାପଡ଼ିଛି ।

୨୦୧୪ ନିର୍ବାଚନରେ କଳାଧନକୁ ପ୍ରସଙ୍ଗ କରିଥିଲେ ନରେନ୍ଦ୍ର ମୋଦୀ । ସେ କହିଥିଲେ, ବିଦେଶରେ ଏତେ କଳା ଧନ ଅଛି ଯଦି ସବୁ ଦେଶ ଭିତରକୁ ଆସଯିବ ତେବେ ଗରିବ ଲୋକଙ୍କୁ ମୁଣ୍ଡ ପିଛା ୧୫ରୁ ୨୦ ଲକ୍ଷ ଟଙ୍କା ମିଳିଯିବ । ଏହାରି ଭିତରେ ୮ ବର୍ଷ ହେଲା କେନ୍ଦ୍ରରେ ମୋଦୀଙ୍କ ସରକାର ଚାଲିଛି । ଆଉ ୮ ବର୍ଷ ଭିତରେ କେତେ କଳାଧନ ଠାବ ହୋଇଛି, ଜାଣିବା ପାଇଁ କନକ ନ୍ୟୁଜର ପ୍ରତିନିଧି ଲକ୍ଷ୍ମୀନାରାୟଣ କାନୁନଗୋ, ଅର୍ଥ ମନ୍ତ୍ରାଳୟକୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ । ଅର୍ଥ ମନ୍ତ୍ରାଳୟର ଉତ୍ତର ଅନୁସାରେ…

ଠାବ ହୋଇଥିବା କଳାଧନ

  • ବିଦେଶରୁ ଠାବ ହୋଇଛି ୩୯,୮୩୧ କୋଟି ଟଙ୍କା
  • ୧,୨୯୪ କୋଟି ଟଙ୍କା ଜରିମାନା କରାଯାଇଛି
  • ଟିକସ ଜରିିଆରେ ଆସିଛି ମାତ୍ର ୧୫୪.୯୮ କୋଟି ଟଙ୍କା

ସେହିପରି ମୋଦୀ ସରକାରଙ୍କ ଏହି ଆଠ ବର୍ଷ ଶାସନରେ ଦେଶ ଭିତରୁ କେତେ କଳା ଟଙ୍କା ମିଳିଛି? ଏହି ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରାଳୟ ଦର୍ଶାଇଛି, ମୋଟ ଟିକସ ଓ ଜୋରିମାନା ଭାବେ ଆସିଛି ମାତ୍ର ୨,୪୭୬ କୋଟି ଟଙ୍କା ।  ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଉତ୍ତରରେ ଅର୍ଥ ମନ୍ତ୍ରଣାଳୟ କହିଛି- ୨୦୧୪ରୁ ୨୦୨୨, ଏହି ୮ ବର୍ଷ ମଧ୍ୟରେ କଳା ଧନ ଆଇନ-୨୦୧୫ ଓ ମନି ଲଣ୍ଡରିଂ ଆଇନ-୨୦୦୨ ବଳରେ ୮୬୫୧.୮୭ କୋଟି ଟଙ୍କା ଜବତ କରାଯାଇଛି । ୩୯,୬୨୦ କୋଟି ଟଙ୍କା କଳା ଧନ ଉପରେ ନୋଟିସ୍ ହୋଇଛି । ୨୦୧୫ରେ ମାତ୍ର ୨,୪୭୬ କୋଟି ଟଙ୍କାର ଟିକସ ଓ ଜୋରିମାନା ଆଦାୟ ହୋଇଛି ।

ଅର୍ଥ ମନ୍ତ୍ରାଳୟ ତଥ୍ୟ ଅନୁସାରେ ୮ ବର୍ଷରେ ଦେଶ ଓ ବିଦେଶରୁ ୮୦ ହଜାର କୋଟିରୁ କମ୍ ଟଙ୍କା । ଯଦି ସବୁ ଟଙ୍କା ଫେରାଇ ଅଣାଯାଏ, ତେବେ ଭାରତରେ ଗରିବ ଲୋକଙ୍କ ମୁଣ୍ଡ ପିଲା ହଜାରେ ଟଙ୍କା ବି ପଡିବ ନାହିଁ । ଭାରତରେ ମୋଟ ଜନସଂଖ୍ୟାର ୬୦ ପ୍ରତିଶତ ଗରିବ । ଅର୍ଥାତ୍ ଦେଶରେ ଅଛନ୍ତି ୮୦ କୋଟି ଗରିବ ଲୋକ । ସେମାନଙ୍କୁ ମୁଣ୍ଡ ପିଛା ୧୫ ଲକ୍ଷ ଟଙ୍କା ଦେଲେ ମୋଟ ଖର୍ଚ୍ଚ ହେବ ୧୨୦୦ ଲକ୍ଷ କୋଟି । ଯାହା ଦେଶର ୩୦ ବର୍ଷର ସାଧାରଣ ବଜେଟ୍ ।

ତେବେ କୋଟି କୋଟି ଟଙ୍କାର କଳାଧନ ଜବତ ହେଲେ ଦେଶର ଭାଗ୍ୟ ବଦଳିଯିବ ବୋଲି ଯେଭଳିି ମୋଦି କହିଥିଲେ, ତାହା ଏକ ଜୁମଲା ଥିଲା ବୋଲି ୨୦୧୫ରେ ତତ୍କାଳୀନ ବିଜେପି ସଭାପତି ଅମିତ ଶାହା ମାନିଥିଲେ । ତେବେ ରାଜନୀତିରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ଯାହା କହିଥାନ୍ତି, ତାହା ବାସ୍ତବତା ଠାରୁ କେତେ ଦୂରରେ, ତାହା ପୁଣି ଥରେ ପ୍ରମାଣିତ ହୋଇଛି ।