ଛତିଶଗଡ ସୁକମାରେ ପୁଲିସ ମାଓବାଦୀ ଗୁଳିବିନିମୟ ! ୮ ମାଓବାଦୀ ମୃତ, ୨ ଯବାନ ସହିଦ ।

86

କନକ ବ୍ୟୁରୋ : ମାଓବାଦୀଙ୍କୁ ସମୁଳେ ନିପାତ କରିବାକୁ ଆରମ୍ଭ ହୋଇଥିବା ଅପରେସନକୁ ଜୋରଦାର କରିଛି ସେନା । ମାଲକାନଗିରି ସୀମାକୁ ଲାଗିଥିବା ଛତିଶଗଡ ସୁକମାରେ ସୁରକ୍ଷାବାହିନୀକୁ ପୁଣି ଏକ ବଡ ସଫଳତା ମିଳିଛି । ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ପୁଲିସ ମାଓବାଦୀ ଗୁଳିବିନିମୟରେ ୮ଜଣ ନକ୍ସଲ ନିହତ ହୋଇଥିବାବେଳେ ୨ଜଣ ଡିଆରଜି ଯବାନ ଶହୀଦ ହୋଇଛନ୍ତି । ଏହା ସହ ଜଣେ ଯବାନଙ୍କ ଦେହରେ ଗୁଳି ବାଜି ଗୁରୁତର ଆହତ ହୋଇଛନ୍ତି ।

ଏନେଇ ସୁକମା ଆରକ୍ଷୀ ଅଧୀକ୍ଷକ ଅଭିଷେକ ମୀନା ସୂଚନା ଦେଇଛନ୍ତି । ସୁକମା ଜିଲ୍ଲା ସକଲାର ଗାଁରେ ମାଓବାଦୀ ଲୁଚିରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ସକରାର ଗାଁ ନିକଟରେ ସ୍ପେଶାଲ ଟାକ୍ସ ଫୋର୍ସ ଓ ଡିଆରଜି ଯବାନମାନେ ତଲାସୀ ଅଭିଯାନରେ ବାହାରିଥିଲେ । ମାଓବାଦୀ ସୁରକ୍ଷାବାହିନୀ ଉପରେ ଅତର୍କିତ ଗୁଳି ଚାଳନ କରିଥିଲେ । ପାଲଟା ଜବାବ ଦେଇଥିଲେ ଯବାନ । ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।