ଛତିଶଗଡ: ହୋମିଓପାଥି ଔଷଧ ଖାଇ ଗୋଟିଏ ପରିବାରର ୮ ମୃତ , ୪ ଜଣ ଗୁରୁତର

624

କନକ ବ୍ୟୁରୋ : କରୋନାରୁ ରକ୍ଷା ପାଇବାକୁ ଏବେ ଲୋକମାନେ ବିଭିନ୍ନ ଲୋକଙ୍କ ପରାମର୍ଶରେ ବିଭିନ୍ନ ପ୍ରକାର ଔଷଧ ଓ ଚିକିତ୍ସାକୁ ଆପଣାଇ ନେଉଛନ୍ତି । ହେଲେ ଏହା ଯେ କେତେବେଳ ଜୀବନକୁ ବିପଦ ମୁଖକୁ ଠେଲି ଦେଉଛି ତାହାର ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡରେ । ଛତିଶଗଡର ବିଳାଶପୁର ଠାରେ ଏକ ପରିବାର ହୋମିଓପାଥି ଔଷଧ ଖାଇବା ତାଙ୍କ ପାଇଁ ମହଙ୍ଗା ପଡିଛି । ଔଷଧ ଖାଇବା ପରେ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଏବେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ବିଳାଶପୁର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି କି ମୃତକ ଓ ଗୁରୁତର ମାନେ ହୋମିଓପାଥି ମେଡିସିନ୍ ଖାଇବା ପରେ ଏଭଳି ଘଟଣା ଘଟିଛି ।

 

ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି କି, ସେମାନେ ଖାଇଥିବା ହୋମିଓପାଥି ଔଷଧରେ ଆଲକହଲର ମାତ୍ରା ଅଧିକ ଥିବାରୁ ଏଭଳି ଘଟିଛି । ଏବେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହାର ଯାଂଚ କରୁଛନ୍ତି । ଯାଂଚ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସିଏମଓ କହିଛନ୍ତି କି ସେମାନେ ଡୋସେରା ନାମକ ହୋମିଓପାଥି ଔଷଧ ଖାଇଛନ୍ତି, ଯେଉଁ ଔଷଧରେ ୯୧ ପ୍ରତିଶତ ପର୍ଯ୍ୟନ୍ତ ଆଲକହଲ ରହିଥାଏ । ଯାହାକୁ ଦେଶୀମଦ ସହିତ ମିଶା ଯାଇଥାଏ । ଯାହାକୁ ଖାଇଲେ ଜୀବନ ପ୍ରତି ବିପଦ ଥାଏ ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ଏମାନଙ୍କର ମୃତ୍ୟୁ ହେବା ପରେ ହୋମିଓପାଥି ଔଷଧ ଦେଇଥିବା ଡାକ୍ତର କେଉଁଆଡେ ଫେରାର ହୋଇଯାଇଛି । ପୋଲିସ ଟିମ୍ ଡାକ୍ତରଙ୍କୁ ଖୋଜା ଖୋଜି କରିବା ସହ ତାଙ୍କ କ୍ଲିନିକକୁ ସିଲ୍ କରିଛି ।