ଟୀକାକରଣର ପ୍ରଥମଦିନ: ଓଡ଼ିଶାରେ ଟାର୍ଗେଟର ୮୧ ପ୍ରତିଶତ ହେଲା ଟୀକାକରଣ, ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ନେଲେ ଟୀକା । 

159
କନକ ବ୍ୟୁରୋ: ଟୀକାକରଣର ପ୍ରଥମ ଦିନରେ ଓଡ଼ିଶାରେ ହୋଇଛି ୮୧ ପ୍ରତିଶତ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟୀକା ନେଇଛନ୍ତି । ଯାହା କି ଟୀକାକରଣ ଟାର୍ଗେଟର ୮୧ ପ୍ରତିଶତ ବୋଲି ରାଜ୍ୟ ସ୍ୱାସ୍ଥ୍ୟବିଭାଗ ତରଫରୁ ପ୍ରେସ୍ ନୋଟ୍ ଜରିଆରେ ସୂଚନା ଦିଆଯାଇଛି ।
ତେବେ ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଅନୁଭୁତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି । ବ୍ରହ୍ମପୁରର ସିଟି ହସ୍ପିଟାଲର ଡାକ୍ତରଙ୍କ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହୋଇଥିଲେ ନବୀନ । ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୨୧ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ନେଇ ଆସିଛି । କୋଭିଡ ଟିକାକରଣ ଆରମ୍ଭ ହୋଇଛି । କରୋନା ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ କେବେ ଭୁଲି ହେବ ନାହିଁ । କରୋନା ଟିକାକରଣକୁ ନେଇ ଖୁସି ଜାହିର କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।