ପରିଣତ ବୟସରେ ପୁସ୍ତକ ପ୍ରେମ: ୭୦ ବର୍ଷ ହେଲା ଘରେ କରିଛନ୍ତି ଲାଇବ୍ରେରୀ

116

କନକ ବ୍ୟୁରୋ: ବହି ! ଆମ ଜୀବନର ହିତ ସାଧନ କରୁଥିବା ମାଧ୍ୟମ । ବହି ହେଉଛି ଜ୍ଞାନର ଭଣ୍ଡାର । ଏହା ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ ମଧ୍ୟ । ଯିଏ ବିନା ସ୍ୱାର୍ଥରେ ମଣିଷକୁ ବାଣ୍ଟିଚାଲେ ଜ୍ଞାନ । କୁହାଯାଏ ନିଜ ଜ୍ଞାନର ପରିସୀମାକୁ ବୃଦ୍ଧି କରିବାକୁ ବହି ହିଁ ବାଟ ଦେଖାଇ ଥାଏ । ହେଲେ ଆଜିର ଯୁବପୀଢି ବହିଠାରୁ ଦୂରେଇ ଯାଉଛନ୍ତି । କାରଣ ତାଙ୍କ ହାତ ମୁଠାରେ ରହିଛି ଗୁଗୁଲ ଗୁରୁ । ଗୋଟିଏ କ୍ଲିକରେ ହିଁ ମିଳିପାରୁଛି ସବୁ କିଛି । ଆଉ ବର୍ତ୍ତମାନର ପିଲାଙ୍କୁ ପୁସ୍ତକ ପ୍ରତି ଆକୃଷ୍ଟ କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି ଚନ୍ଦ୍ର କୁମାର ଦାସ । ନିଜ ଘରେ ସେ ତିଆରି କରିଛନ୍ତି ଲାଇବ୍ରେରୀ । ଯେଉଁଠି ସେ ସାଇତି ରଖିଛନ୍ତି ୨୫ ହଜାରରୁ ଅଧିକ ବହି ।

ଲାଇବ୍ରେରୀ ବା ପାଠାଗାର କହିଲେ ଆମ ମନକୁ ଚାଲିଆସେ ସ୍କୁଲ, କଲେଜ ଆଉ ଗାଁରେ ଗଢା ହୋଇଥିବା ପାଠଗାର କଥା । ଶାନ୍ତ, ନୀରବ, ନିସ୍ତବ୍ଦ ଆଉ ଏକ ନିରୋଳା ପରିବେଶରେ ବସି ପିଲାମାନେ ପାଠ ପଢିବାର ଦୃଶ୍ୟ ମଧ୍ୟ ଆମ ମନରେ ଆଙ୍କି ହୋଇଯାଏ । ହେଲେ ନିଜ ଘରେ ଏଭଳି ପରିବେଶ ତିଆରି କରିବା, ବହି ମାନଙ୍କ ସହ ରାତି କାଟିବା, ସେମାନଙ୍କ ସହ ବସିବା, କଥା ହେବା, ବହିର ଭିଡ ଭିତରେ ନିଜକୁ ହଜାଇ ଦେବା କେବଳ ଜଣେ ପୁସ୍ତକ ପ୍ରେମୀ ହିଁ କରିପାରିବେ । ତେବେ ସେଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଚନ୍ଦ୍ର କୁମାର ଦାସ । ବୟସ ୭୭ । ଆଉ ଘର ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରେ ।

ପ୍ରଥମ ଶ୍ରେଣୀରୁ ହିଁ ତାଙ୍କ ଭିତରେ ରହିଥିଲା ପୁସ୍ତକ ପ୍ରେମ । ଯେତେବେଳେ ତାଙ୍କୁ ୭ ବର୍ଷ ହୋଇଥିଲା ସେତେବେଳେ ସେ ଯାତ୍ରାରୁ ୨ ପଇସାରେ ଏକ ବହି କିଣିଥିଲେ । ଆଉ ସେତେବେଳେ ତାଙ୍କୁ ଜଣାନଥିଲା ତାହା କି ବହି । ଆଉ ଘରେ ଆସି ପହଞ୍ଚିବା ପରେ ଜାଣିଥିଲେ ସେ ବହି ନାଁ ହେଉଛି ‘ଜେମାଦେଇ କାନ୍ଦଣା’ । ସେବେଠାରୁ ହିଁ ତାଙ୍କର ବହି ସଂଗ୍ରହ ଆରମ୍ଭ ହୋଇଥିଲା ।

କୁନି ବୟସରୁ ଆରମ୍ଭ ହୋଇଥିବା ଏହି ବହି ପ୍ରେମ ଏବେ ପରିଣତ ବୟସରେ ମଧ୍ୟ କମ ହୋଇନାହିଁ । ୧୯୭୮ ମସିହାରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି ଲାଇବ୍ରେରୀରେ ସେ ଛୋଟ ପିଲାଙ୍କ ଗଳ୍ପ ବହିଠାରୁ ଆରମ୍ଭ କରି ଓଡିଆ କ୍ଷୁଦ୍ର ଗଳ୍ପ, ହିନ୍ଦୀ ଉପନ୍ୟାସ, ମହାପୁରୁଷଙ୍କ ଜୀବନୀ, ରିଜାନୀତି ବିଜ୍ଞାନ, ଅର୍ଥନୀତି, ବାଣିଜ୍ୟ, ସମାଜ ଶାସ୍ତ୍ର, ଓଡିଆ ଉପନ୍ୟାସ, ଓଡିଆ କାବ୍ୟ କବିତା ଭଳି ବହି ରଖିଛନ୍ତି । ଏହାସହ ବିଦ୍ୟାଳୟରେ ପଢା ହେଉଥିବା ଇଂରାଜୀ, ଓଡିଆ ଓ ଗଣିତ ପୁସ୍ତକ ସବୁକୁ ମଧ୍ୟ ସେ ସାଇତି ରଖିଛନ୍ତି । ଏସବୁ ସେ ନିଜ ଉପାର୍ଜିତ ଅର୍ଥରୁ ହିଁ କିଣିଛନ୍ତି ।

ତାଙ୍କ ଘରେ ହୋଇଥିବା ଏହି ଲାଇବ୍ରେରୀରେ ବସି ପାଠପଢିବାର ସୁଯୋଗ ମଧ୍ୟ ଦେଇଥାନ୍ତି ଚନ୍ଦ୍ର କୁମାର ଦାସ । ଲାଇବ୍ରେରୀ ପାଇଁ ସେ ନିଜ ଘରେ ୭ଟି କୋଠରୀରେ ବହି ଗୁଡିକୁ ସାଇତି ରଖିଛନ୍ତି । ଚାକିରିରୁ ଅବସର ନେବା ପରେ ବହି ପ୍ରତି ତାଙ୍କର ନିବିଡତା ଆହୁରି ଘନିଷ୍ଠ ହୋଇଯାଇଛି । ବହି ସଂଗ୍ରହ କରିବା ସମୟରେ ତାଙ୍କୁ ଅର୍ଥାଭାବର ଶିକାର ମଧ୍ୟ ହେବାକୁ ପଡିଛି । ଏମିତି କି ଦୂର ଦୂରାନ୍ତୁ ଯାଇ ବହି ମୁଣ୍ଡାଇ ମଧ୍ୟ ଆଣିଛନ୍ତି ।

ଚନ୍ଦ୍ରଙ୍କ ଏହି ପୁସ୍ତକ ନିଶାକୁ ତାଙ୍କ ପତ୍ନୀ କିରଣ ଦାସ ମଧ୍ୟ ସହଯୋଗ କରନ୍ତି । ଆଉ ତାଙ୍କୁ ବହି ସଂଗ୍ରହ କରିବାରେ ଉତ୍ସାହିତ ମଧ୍ୟ କରନ୍ତି । ଗୁଗୁଲ ଯୁଗରେ ଯେତେବେଳେ ପୁସ୍ତକର ଚାହିଦା କମିଯାଉଛି, ସେତେବେଳେ ବିଭିନ୍ନ ବିଷୟ ବସ୍ତୁର ହଜାର ହଜାର ପୁସ୍ତକ ସାଇତି ରଖିବା, ଆଉ ପିଲାମାନଙ୍କ ମଧ୍ୟରେ ବହି ପଢାର ସୃଜନଶୀଳତାକୁ ବଢାଇବାର ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ।