୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ । ପାଳୁଛି ପ୍ଲାଟିନମ ଜୁବିଲି । ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ଦିଗରେ ଅଗ୍ରସର

165

କନକ ବ୍ୟୁରୋ: ୭୫ ବର୍ଷରେ ପାଦ ଥାପିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୧୯୪୩ ମସିହା ଆଜିର ଦିନରେ ଅନେକ ସମସ୍ୟା ଓ ଘାତ ପ୍ରତିଘାତ ଭିତରେ ସ୍ଥାପିତ ହୋଇଥିଲା ଏହି ବିଶ୍ୱବିଦ୍ୟାଳୟ । ଦେଶର ଏହି ପ୍ରମୁଖ ଅନୁଷ୍ଠାନ ୧୯୪୩ ମସିହା ଠାରୁ ନିରନ୍ତର ଶିକ୍ଷା ପ୍ରଦାନ କରିଆସୁୁଛି । ପୃଥିବୀର କୋଣ ଅନୁକୋଣରେ ଏହି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଓଡିଶାର ଗୌରବ ବଢାଇବା ସହ ବାଣୀବିହାର ନାଁ ବଢାଇଛନ୍ତି । ସେହି ଅନୁଷ୍ଠାନ ଆଜି ଠାରୁ ପାଳୁଛି ପ୍ଲାଟିନମ ଜୁବିଲି ।

୨୦୧୬ରେ ନାକ୍ ‘ଏ+’ ମାନ୍ୟତା ପାଇବା ପରେ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତନ, କ୍ୟାମ୍ପସର ସମ୍ପ୍ରସାରଣ, ବିଶ୍ୱସ୍ତରୀୟ ଗବେଷଣା ପରି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗବେଷଣା ସାଙ୍ଗକୁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ୭୫ ବର୍ଷ ଧରି ପ୍ରତିଭାବାନ ବ୍ୟକ୍ତିଙ୍କୁ ଗଢ଼ୁଥିବା ଏହି ମଣିଷ ତିଆରି କାରଖାନା ଏବେ ନିଜ ପାଇଁ ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ। ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ଦିଗରେ ଅଗ୍ରସର ହୋଇଛି। ୨୦୨୦ ସୁଦ୍ଧା ଉତ୍କଳକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପରିଣତ କରିବାକୁ ଉଭୟ ରାଜ୍ୟସରକାର ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ୩ଟି ଗ୍ରେଡରେ ବିଭକ୍ତ କରାଯାଇଛି। ନାକ୍ ‘ଏ+’ ଗ୍ରେଡ ଏବଂ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗତାଲିକାର ୫୦ ଭିତରେ ଥିବା ବିଶ୍ୱବିଦ୍ୟାଳୟକୁ ପ୍ରଥମ ଗ୍ରେଡରେ ରଖାଯାଇଛି। ନାକ୍ ‘ଏ’ ଗ୍ରେଡ ଏବଂ ମନ୍ତ୍ରାଳୟ ରାଙ୍କିଙ୍ଗର ୫୧ରୁ ୧୦୦ ମାନ୍ୟତା ମାଧ୍ୟରେ ଥିବା ବିଶ୍ୱବିଦ୍ୟାଳୟକୁ ଦ୍ୱିତୀୟ ଗ୍ରେଡ ଏବଂ ରାଙ୍କିଙ୍ଗର ୧୫୦ ଭିତରେ ଥିବା ବିଶ୍ୱବିଦ୍ୟାଳୟକୁ ତୃତୀୟ ଗ୍ରେଡ ଭାବେ ରଖାଯାଇଛି। ସେହି ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଫଣ୍ଡ ମିଳିବ। ଭିତ୍ତିଭୂମି ବିକାଶ ସହ ଗବେଷଣା ପାଇଁ ଅର୍ଥ ଦିଆଯିବ। ବିଶ୍ୱବ୍ୟାଙ୍କରୁ ଅର୍ଥ ଆଣିବା ଦିଗରେ ବି ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଗତ ସପ୍ତାହରେ କୁଳପତି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଅନ୍ୟାନ୍ୟ କୁଳପତିମାନେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିବା ସହ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ହେବାକୁ ଯାଉଥିବାରୁ ଶୁଭେଚ୍ଛା ଜଣାଇଥିଲେ।

ଦିଲ୍ଲୀ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ) ପରି ବାଣୀବିହାରରେ ଜାତୀୟ, ଅନ୍ତର୍ଜାତୀୟସ୍ତରର ଆଲୋଚନାଚକ୍ର କରାଯିବ। ଏଥିରେ ଦେଶ, ବିଦେଶର ପ୍ରଫେସର, ବିଶେଷଜ୍ଞ, ଗବେଷକ ସାମିଲ ହୋଇ ବକ୍ତବ୍ୟ ପ୍ରଦାନ କରିବେ। ବାହାର ଦେଶ ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବିନିମୟ କାର୍ୟ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନ୍ୱେଷଣ ଲାଗି ମଧ୍ୟ ବ୍ୟାପକ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ନିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି ଯେ କ୍ୟାମ୍ପସରେ ଶୈକ୍ଷିକ ଏବଂ ଗୁଣାତ୍ମକ ଶିକ୍ଷା ବିକାଶକୁ ଗୁରୁତ୍ୱ ଦିଆଯାଉଛି। ୭୫ ବର୍ଷ ପୂରଣ କରିଥିବାରୁ ଆଗାମୀ ଦିଗରେ ନୂଆ ପାଠ୍ୟକ୍ରମ ଖୋଲିବା ଦିଗରେ ପଦକ୍ଷେପ ନିଆଯିବ।

ଚଣ୍ଡିଖୋଲ କ୍ୟାମ୍ପସରେ ହେବ ପାଠପଢ଼ା
୨୦୧୮ ଶିକ୍ଷାବର୍ଷରୁ ଚଣ୍ଡିଖୋଲ କ୍ୟାମ୍ପସରେ ପାଠପଢ଼ା ହେବ। ପ୍ରଥମେ ଦକ୍ଷତା ବିକାଶ ପାଠ୍ୟକ୍ରମ ଖୋଲିବାକୁ ସ୍ଥିର ହୋଇଛି। କେଉଁ ବିଷୟରେ ପିଲା ପଢ଼ିବେ ସେନେଇ ବି ସିଲାବସ କରାଯାଇଛି। ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯିବ। ପର୍ଯ୍ୟାୟକ୍ରମେ ଅନ୍ୟ ପାଠ୍ୟକ୍ରମ ଖୋଲିବା ଦିଗରେ ପଦକ୍ଷେପ ନିଆଯିବ।

ଉଦଘାଟିତ ହେବ ଡିଡିସିଇ ହେରିଟେଜ ହଲ୍
ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଶ୍ୱବିଦ୍ୟାଳୟ ଦୂର ନିରନ୍ତର ଶିକ୍ଷା ନିର୍ଦେଶାଳୟ (ଡିଡିସିଇ)ରେ ହେରିଟେଜ ହଲ ଉଦଘାଟିତ ହେବ। କୁଳାଧିପତି ତଥା ରାଜ୍ୟପାଳ ଏସ.ସି. ଜମିର, ୟୁଜିସି ଅଧ୍ୟକ୍ଷ ବୀରେନ୍ଦ୍ର ସିଂ ଚୌହ୍ଵାନ ଯୋଗଦେଇ ଏହାକୁ ଉଦଘାଟନ କରିବେ। ୬୦ ଦଶକରେ ଏହି ହଲ ପ୍ରତିଷ୍ଠା ହୋଇଥିଲା। ଏବେ ନବୀକରଣ କରାଯାଇଛି। ଏଥିସହ ୩ ମହଲା ବିଶିଷ୍ଟ ନୂଆ ଏକାଡେମିକ ବ୍ଲକ ମଧ୍ୟ ଉଦଘାଟନ ହେବାର କା ର୍ଯ୍ୟକ୍ରମ ରହିଛି।