ନକ୍ସଲଙ୍କ ଗଡରେ ପଶିବେ ସିଆରପିଏଫର ୭୫ ମହିଳା କମାଣ୍ଡୋ, ବୁଲେଟ୍ ଧରି ଦିଲ୍ଲୀରୁ ଆରମ୍ଭ କଲେ ଯାତ୍ରା

109

କନକ ବ୍ୟୁରୋ : ଦେଶରେ ନକ୍ସଲ ସମସ୍ୟା ଏବେ ବି ଲାଗି ରହିଛି । ଜଙ୍ଗଲ ଭିତରେ ନିଜର ଆଧିପତ୍ୟ ବିସ୍ତାର କରି କ୍ଷମତା ଦଖଲ କରିବାକୁ ହିଂସା ଆପଣାଉଛନ୍ତି ନକ୍ସଲମାନେ । ସେମାନଙ୍କୁ ଦମନ କରିବାକୁ କେନ୍ଦ୍ର ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ନକ୍ସଲମାନଙ୍କୁ ଶେଷ କରିବାକୁ ଏବେ ସିଆରପିଏଫ ତରଫରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି  । ଏନେଇ ୭୫ ଜଣ ସିଆରପିଏଫ ର ମହିଳା କମାଣ୍ଡୋ ଦିଲ୍ଲୀରୁ ଛତିଶଗଡର ଜଗଦଲପୁର ଗସ୍ତ କରିଛନ୍ତି । ସେମାନଙ୍କର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନକ୍ସଲ ପ୍ରଭାବିତ ଛତିଶଗଡରେ ମହିଳା ସଶକ୍ତିକରଣର ବାର୍ତ୍ତା ପହଂଚାଇବା ।

ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳରେ ସିଆରପିଏଫର ଯବାନ ମାନେ ନିୟୋଜିତ ରହିଛନ୍ତି । ଆଜି ନୁହେଁ ଦୀର୍ଘ ୨୦ ବର୍ଷ ହେବ ସେଠାରେ ଲୋକମାନଙ୍କୁ ନକ୍ସଲ ଆକ୍ରମଣରୁ ରକ୍ଷା କରିବାକୁ ଯବାନମାନେ ନିୟୋଜିତ ରହିଛନ୍ତି । ଛତିଶଗଡର ସର୍ବାଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ ହେଉଛି ଜଗଦଲପୁର । ସେଠାରେ ସିଆରପିଏଫ ଯବାନମାନେ ଅନେକଥର ସେମାନଙ୍କ ବୀରତ୍ୱର ପ୍ରମାଣ ଦେଇଛନ୍ତି ।

ଏବେ ଏବେ ନକ୍ସଲ ବିରୋଧୀ ଅଭିଯାନରେ ସିଆପିଏଫକୁ ଏକ ବଡ ସଫଳତା ମିଳିଥିଲା । ଏହାପରେ ସେହି ଅଞ୍ଚଳରେ ସାମାଜିକ ସଚେତନତା ପ୍ରଚାର କରିବାକୁ ସିଆରପିଏଫ୍ ତରଫରୁ ୭୫ ଜଣ ମହିଳା କମାଣ୍ଡୋଙ୍କୁ ସେଠାକୁ ପଠାଯାଇଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ୍ କି ଲୋକମାନଙ୍କ ମନରେ ନକ୍ସଲଙ୍କ ପ୍ରତି ବିରୋଧତା ନରହିଲେ ସେହି ଅଞ୍ଚଳରୁ ନକ୍ସଲମାନଙ୍କୁ ନିପାତ କରାଯାଇପାରିବ ନାହିଁ ।

ସିଆରପିଏଫର ମହାନିର୍ଦ୍ଦେଶକ ଏସ ଏଲ ଥାୟଶନଙ୍କ କହିବା ମୁତାବକ ଏହି ଯାତ୍ରା ପରେ ଆଗାମୀ ଦିନରେ ଏହାଠାରୁ ଏକ ବଡ ଯାତ୍ରା କରାଯିବ । ଏହାଦ୍ୱାରା ଲୋକଙ୍କ ପାଖରେ ଖବର ପହଂଚିବ କି, ସିଆରପିଏଫ ଯବାନମାନେ ସେମାନଙ୍କ ସହ ରହିଛନ୍ତି ।

ସେପଟେ ଦିଲ୍ଲୀରୁ ଜଗଦଲପୁର ବାହାରିଥିବା ୭୫ ଜଣ ମହିଳା କମାଣ୍ଡୋଙ୍କୁ ୨ମାସ ହେବ ବୁଲେଟ ଚଳାଇବାର ଟ୍ରେନିଂ ଦିଆଯାଇଛି । ଏହି ମହିଳା କମାଣ୍ଡୋମାନେ ଲକ୍ଷ୍ନୌ, କର୍ଣ୍ଣାଟକ, ଗୁଜରାଟ ଓ ଦେଶର ଭିନ୍ନ ଭିନ୍ନ ଭାଗରୁ ଆସି ଭାଗ ନେଇଛନ୍ତି । ସେମାନେ ଆଜି ଦିଲ୍ଲୀରୁ ୧୮୪୮ କିଲୋମିଟର ଦୂର ଜଗଦଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।