ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ମନର କଥା କହିଲେ ମୋଦି, ଦେଶରେ ଦୃତ ଗତିରେ ଆଗେଇ ଚାଲିଥିବା କରୋନା ଟିକାକରଣକୁ କଲେ ପ୍ରଶଂସା, ଉଠାଇଲେ ଲୋକାଲ ଫର ଭୋକାଲ ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ।

80

କନକ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମର ୭୩ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ସେ କହିଛନ୍ତି, କରୋନା ମହାମାରୀ ବିରୋଧ ଲଢ଼େଇରେ ଭାରତ ପୃଥିବୀରେ ଏକ ଉଦାହରଣ ସୃଷ୍ଟି କରିଛି । ଭାରତରେ ସର୍ବବୃହତ ସାର୍ବଜନୀକ ଟିକାକଣ ଅଭିଯାନ ଜାରି ରହିଛି । ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି । ଆମେରିକାରେ ଏଥିପାଇଁ ୧୮ ଦିନ ଏବଂ ବ୍ରିଟେନରେ ୩୬ ଦିନ ସମୟ ଲାଗିଥିବା ବେଳେ ଭାରତରେ ଟିକାକରଣ ଅଭିଯାନ ଅଧିକ ବେଗରେ ଜାରି ରହିଛି ।

ସେହିଭଳି, ମେଡ୍ ଇନ୍ ଇଣ୍ଡିଆ ଟିକା ପ୍ରସ୍ତୁତି ଦ୍ୱାରା ଆତ୍ମନିର୍ଭର ଭାରତ ଗୌରବ ବୃଦ୍ଧି ପାଇଥିବା ସେ କହିଛନ୍ତି । ଏହା ସହ ଜାନୁଆରୀ ୨୬ରେ ତ୍ରିରଙ୍ଗାର ଅପମାନ ଦେଖି ଦେଶ ବହୁତ ଦୁଃଖୀ ହୋଇଛି । ଦେଶର ଜନତାଙ୍କ ମନରେ ଏନେଇ ଆଘାତ ସୃଷ୍ଟି ହୋଇଥିବା କଥା କହିଛନ୍ତି ମୋଦୀ । ଏପରିକି ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ସିରିଜ୍ ବିଜୟ ନେଇ ମନ୍ତବ୍ୟ ରଖିଛନ୍ତି ମୋଦୀ । ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି ।

ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସକୁ ‘ଅମୃତ ମହୋତ୍ସବ’ ଭାବେ ପାଳନ କରିବ। ସ୍ୱାଧୀନତା ଆନ୍ଦୋଳନର ବୀରମାନଙ୍କ ପ୍ରତି ଆପଣମାନଙ୍କ ରଚନା ଆଦର୍ଶ ଶ୍ରଦ୍ଧାଞ୍ଜଳି ହୋଇପାରିବ। କିଛି ଦିନ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋରୁ ସିଧାସଳଖ ବିମାନ ଚଳାଇ ବେଙ୍ଗାଲୁରୁରେ ପହଞ୍ଚିଥିବା ୪ଜଣ ଭାରତୀୟ ମହିଳା ପାଇଲଟ୍‌ଙ୍କ କଥା ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ‘ମନ୍‌କି ବାତ୍‌’ରେ ଉଲ୍ଲେଖ କରିଛନ୍ତି। ୨୨୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନେଇ ଉକ୍ତ ବିମାନଟି ୧୦, ୦୦୦ କିଲୋମିଟର୍‌ ଦୂରରୁ ଆସିଥିଲା। ଯେ କୌଣସି କ୍ଷେତ୍ରରେ ହେଉ, ସମ୍ପ୍ରତି ମହିଳାମାନଙ୍କ ଭୂମିକା କ୍ରମାଗତ ବୃଦ୍ଧି ପାଉଛି। ଗ୍ରାମୀଣ ଭାରତରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି ଚଳିତ ବର୍ଷ ପଦ୍ମ ପୁରସ୍କାର ସମ୍ମାନରେ ଦେଶର ବହୁ ଅଜଣା ବ୍ୟକ୍ତି ବିଶେଷ ନିଜର ଉଲ୍ଲେଖନୀୟ କାର୍ଯ୍ୟ ମାଧ୍ୟମରେ ଲୋକଲୋଚନକୁ ଆସିପାରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।