ବିଦ୍ୟାଳୟ ପରିସରରେ ୭ ବର୍ଷର ଶିଶୁକୁ ଗଳାକାଟି ହତ୍ୟା ! ସ୍କୁଲ ବସ ଡ୍ରାଇଭର, କଣ୍ଡକ୍ଟର ସମେତ ୩ ଗିରଫ

42

କନକ ବ୍ୟୁରୋ: ଗୁରଗାଓଁ ରିୟାନ ଇଂଚଟନ୍ୟାସନାଲ ସ୍କୁଲର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରର ହତ୍ୟା ଘଟଣାର ପର୍ଦାଫାସ ହୋଇଛି । ଗୁରଗାଓଁ ପୋଲିସ ଏହି ମାମଲାରେ ସ୍କୁଲ ବସ ଡ୍ରାଇଭର, କଣ୍ଡକ୍ଟର ସମେତ ୩ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ କଣ୍ଡକ୍ଟର ଅଶୋକ ଦୋଷ ସ୍ୱୀକାର କରିଥିବା ଡିସିପି ସିମରଦୀପ ସିଂହ ସୂଚନା ଦେଇଛନ୍ତି । ହତ୍ୟା ପୂର୍ବରୁ ନାବାଳକ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ ହୋଇଥିବା ପୋଲିସ କହିଛି । ତେବେ ଏହାକୁ ନାବାଳକ ବିରୋଧ କରିବାରୁ ହତ୍ୟା କରାଯାଇଥିଲା । ସ୍କୁଲର ଟୟଲେଟରୁ ନାବାଳକର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ନେଇ ସ୍କୁଲ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ଦାବି କରିଛନ୍ତି ।

ସୂଚନା ମୁତାବକ, ଗୁରଗାଓଁର ଭଣ୍ଡସି ସ୍ଥିତ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ପ୍ରଦ୍ୟୁମ୍ନ ଠାକୁର ନାମକ ଏକ ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ରକୁ ତଣ୍ଟି କାଟି ହତ୍ୟା କରାଯାଇଛି । ତା’ ମୃତଦେହ ସ୍କୁଲର ଶୌଚାଳୟରୁ ଉଦ୍ଧାର ହୋଇଥିବାବେଳେ ନିକଟରୁ ଏକ ଛୁରି ମଧ୍ୟ ପୁଲିସ ଜବତ କରିଥିଲା । ଯାହାକୁ ନେଇ ସେଠାରେ ତୁମୁଳ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା । ବହୁ ଅଭିଭାବକ ଓ ସ୍ଥାନୀୟ ଲୋକ ସ୍କୁଲରେ ପଶି ବ୍ୟାପକ ଭଙ୍ଗାରୁଜା ଘଟାଇଥିଲେ ।

ବାପା ବରୁଣ ଠାକୁରଙ୍କ କହିବା କଥା ହେଲା କି, ସେ ପ୍ରଦ୍ୟୁମ୍ନକୁ ସକାଳ ୭.୩୦ରେ ସ୍କୁଲରେ ଛାଡ଼ି ଘରକୁ ଫେରିଥିଲେ । ୮.୩୦ରେ ସ୍କୁଲରୁ ପୁଅର ଅବସ୍ଥା ଗୁରୁତର ରହିଥିବା ନେଇ ତାଙ୍କ ପାଖକୁ ଫୋନ୍ କରାଯାଇଥିଲା । ତାଙ୍କୁ ହସପିଟାଲ ଆସିବାକୁ କୁହାଯାଇଥିଲା । ସେ ହସପିଟାଲକୁ ଆସି ପୁଅର ମୃତଦେହ ଦେଖିଥିଲେ । ସ୍କୁଲ ପ୍ରଶାସନ କହିଛି ଯେ, ପ୍ରଦ୍ୟୁମ୍ନ ଶୌଚାଳୟକୁ ଯାଇ ଦୀର୍ଘ ସମୟ ଧରି ନଫେରିବାରୁ ତାକୁ ଅନୁସନ୍ଧାନ କରାଯାଇଥିଲା । ଶୌଚାଳୟରେ ରକ୍ତ ମନ୍ଦା ମଧ୍ୟରେ ସେ ପଡ଼ି ରହିଥିବା ଧେଖିବାକୁ ମିଳିଥିଲା । ଏସମ୍ପର୍କରେ ପୁଲିସକୁ ଫେରନ୍ କରାଯାଇ ତାକୁ ଡାକ୍ତରଖାନାକୁ ନିଆଯାଇଥିଲା । ସେତେବେଳେ ସେ ଜୀବିତ ଥିବା ଓ ତା ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା ବୋଲି ସ୍କୁଲ ତତ୍ତ୍ୱାବଧାରିକା ବାତ୍ରା କହିଛନ୍ତି । ସେ ପ୍ରଦ୍ୟୁମ୍ନକୁ କାରରେ ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ପୁଲିସର ଏକ ଫରେନ୍ସିକ୍ ବିଶେଷଜ୍ଞ ଦଳ ଏହି ଘଟଣାର ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରୁ ରକ୍ତ ନମୁନା ଓ ଅଙ୍ଗୁଳିଚିହ୍ନ ସଂଗ୍ରହ କରିବା ସହିତ ରକ୍ତ ଲାଗିଥିବା ଏକ ଛୁରି ମଧ୍ୟ ସେଠାରୁ ଜବତ କରିଥିଲା । ଶୌଚାଳୟ ସମେତ ସ୍କୁଲରେ ଲାଗିଥିବା ୩୦ଟି ସିସିଟିଭି କ୍ୟାମେରାକୁ ମଧ୍ୟ ପୁଲିସ ଯାଞ୍ଚ କରିଥିଲା । ଏ ବାବଦରେ ସ୍କୁଲର କର୍ମଚାରୀ ଓ ମୃତ ଶିଶୁର ସାଙ୍ଗମାନଙ୍କୁ ପଚରାଉଚୁରା କରିଥିଲା ।

ପୁଲିସ ସନ୍ଦେହରେ ସ୍କୁଲ ବସ ଡ୍ରାଇଭର, କଣ୍ଡକ୍ଟର ସମେତ ୩ ଜଣଙ୍କୁ ଗିରଫ କରିଛି । ଶିଶୁର ବାପା ତଥା ଗୁରଗାଓଁରେ ଓରିଏଣ୍ଟ୍ କ୍ରାଫ୍ଟର କ୍ୱାଲିଟି ମ୍ୟାନେଜର ଥିବା ବରୁଣ ଠାକୁର ଏଡି ଘଟଣା ପାଇଁ ସ୍କୁଲ୍ ପ୍ରଶାସନକୁ ଦୋଷାରୋପ କରିଛନ୍ତି । ସ୍କୁଲ ପ୍ରଶାସନ ଠିକଣା ସମୟରେ ପଦକ୍ଷେପ ନେଇଥିଲେ ତାଙ୍କ ପୁଅ ବଞ୍ଚି ଯାଇଥାନ୍ତା ବୋଲି ସେ କହିଛନ୍ତି । ଏନେଇ ବରୁଣ ଗୁରଗାଓଁ ପୁଲିସରେ ସ୍କୁଲ୍ ପ୍ରଶାସନ ବିରୋଧରେ ଏକ ଏଫଆଇଆର ଦାଏର କରିଛନ୍ତି । ପ୍ରଦ୍ୟୁମ୍ନର ମୃତ୍ୟୁ ଏହି ଅଭିଜାତ ଶ୍ରେଣୀର ସ୍କୁଲ ପାଇଁ ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଗତ ୨୦୧୬ ଜାନୁଆରୀ ୨୦ରେ ମଧ୍ୟ ଏହି ସ୍କୁଲରେ ଏକ ୬ ବର୍ଷର ଶିଶୁ ପାଣି ଟାଙ୍କିରେ ପଡି ମୃତ୍ୟୁପରଣ କରିଥିଲା ।