ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ୭ ସହଯୋଗୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ।

82

କନକ ବ୍ୟୁରୋ : ଦକ୍ଷିଣ କଶ୍ମୀରର ଏକାଧିକ ଅଞ୍ଚଳରୁ ଆତଙ୍କବାଦୀଙ୍କ ୭ଜଣ ସହଯୋଗୀଙ୍କୁ ଗିରଫ କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ ଦାବି କରିଛି। ଏକ ବିବୃତିରେ ପୁଲିସ କହିଛି, ଚେକପୋଷ୍ଟରେ  ଯାଞ୍ଚ ବେଳେ ପୁଲିସ ଆତଙ୍କବାଦୀଙ୍କ ୭ଜଣ ସହଯୋଗୀଙ୍କୁ ଗିରଫ କରିଛି। ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ଦୁଇଟି ହାତ ଗ୍ରେନେଡ୍‌, ତିନୋଟି ଏ.କେ. ଶ୍ରେଣୀୟ ମ୍ୟାଗାଜିନ୍‌, ୧୦୫ ରାଉଣ୍ଡ୍‌ ଅଫୁଟା ଏ.କେ. ଜବତ କରାଯାଇଛି।

୭ଜଣଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍‌ ମୁଜାହିଦୀନ’ର ସହଯୋଗୀ ବା ‘ଓଭର୍‌ ଗ୍ରାଉଣ୍ଡ୍‌ ଓ୍ଵାର୍କର୍‌’ ବୋଲି ଜଣାପଡ଼ିଛି। ସେମାନଙ୍କ ନାମରେ ଶୋପିଆଁ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଗିରଫ ଆତଙ୍କବାଦୀଙ୍କ ସହଯୋଗୀମାନେ ହେଲେ, ମୀମେନ୍ଦର ବାସିନ୍ଦା ସମିଉଲ୍ଲା ଫାରୁକ୍‌, ଦଚିପୋରା ବାସିନ୍ଦା ହିଲାଲ୍‌ ଅହମଦ୍‌ ଓ୍ଵାନି, ରମୀଜ୍‌ ଓ୍ଵାନି, ରୌଫ୍‌ ଅହମଦ୍‌ ଓ୍ଵାନି, ଜାହିଦ ହୁସେନ୍‌ ଓ୍ଵାନି, ବେହିଲ୍‌ ବାସିନ୍ଦା ଫୈୟାଜ୍‌ ଅହମଦ୍‌ ଖାଁ ଏବଂ ଶହିଦ ଅହମଦ୍‌ ରାଠର୍‌। ଜଣେ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀ କହିଛନ୍ତି, ମାର୍ଚ ୫ ଓ ୬ ତାରିଖ ରାତିରେ ଶୋପିଆଁ ଜିଲ୍ଲାର ବିଭିନ୍ନ ଗାଁରୁ ପୁଲିସ ଏହି ୭ଜଣଙ୍କୁ ଗିରଫ କରିଛି। ଏହାକୁ ଏକ ବଡ଼ ସଫଳତା କହି ସମ୍ପୃକ୍ତ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ନେଟଓ୍ଵାର୍କ ଛିନ୍ନ ହୋଇଛି ବୋଲି ପୁଲିସ ବିଶ୍ୱାସ କରୁଛି।