ରାଜରାସ୍ତାରେ ରାହାଜାନି ! ବନ୍ଧୁକ ମୁନରେ ବାଲେଶ୍ୱରରେ ବଡଧରଣର ଲୁଟ୍

36

କନକ ବ୍ୟୁରୋ : ବାଲେଶ୍ୱରରେ ଦିନଦିପହରେ ବଡ ଧରଣର ଲୁଟ୍ । ଟୋଲଗେଟ୍ କର୍ମଚାରୀଙ୍କ ଉପରେ ଗୁଳିମାଡ କରି ୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ ଗୁଳିମାଡରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଲୁଟ୍ ପରେ ଦୁର୍ବୃତ୍ତ ମାନେ କୋଲକାତା ଆଡକୁ ଫେରାର ହୋଇଯାଇଥିବା ବେଳେ ପୋଲିସ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଦେଖନ୍ତୁ ଦିନଦିପହରେ କେମିତି ହୋଇଥିଲା ୬୦ ଲକ୍ଷର ଲୁଟ୍ ।

ଦିନ ଦିପହରରେ ବନ୍ଧୁକ ମୁନରେ ଲୁଟ୍ :
ଦିନ ପ୍ରାୟ ସାଢେ ୧୨ । ଶେରଗଡ ଟୋଲଗେଟ୍ରୁ ୬୦ ଲକ୍ଷ ଟଙ୍କା ନେଇ ବାହାରିଥିଲେ କର୍ମଚାରୀ । ଆଉ ଟୋଲଗେଟରୁ ଏକ ବୋଲେରୋରେ ତାଙ୍କୁ ପିଛା କରୁଥିଲେ ୪ ଜଣ ଲୁଟେରା । ସମୟ ପ୍ରାୟ ୧୨ ଟା ୪୫ । ସ୍ଥାନ- କୁରୁଡା ଛକ । ଶେରଗଡ ଟୋଲଗେଟ୍ ଓ ବାଲେଶ୍ୱର ମଧ୍ୟରେ ଥିବା ଏହି ଛକରେ ଟୋଲଗେଟ୍ କର୍ମଚାରୀଙ୍କ କାରକୁ ଓଭରଟେକ୍ କରିଥିଲା ଲୁଟେରାଙ୍କ ବୋଲେରୋ । ଚାହୁଁ ଚାହୁଁ କାର୍ ସାମ୍ନାକୁ ଆସି ଅନ୍ଧାଧୁନ ଗୁଳି ଚଳାଇଥିଲେ ଲୁଟେରା । ଦୁଇ ଜଣ ଲୁଟେରା ଗୁଳି ଚଳାଉଥିବା ବେଳେ ଆଉ ଦୁଇ ଜଣ କାର୍ କାଚ ଭାଂଗି ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ ।

ଲୁଟେରାଙ୍କ ଗୁଳିରେ ଜଣେ ଟୋଲଗେଟ୍ କର୍ମଚାରୀ ଆହତ ହୋଇଥିବା ବେଳେ ଧସ୍ତାଧସ୍ତିରେ ଆଉ ଜଣେ ଆହତ ହୋଇଛନ୍ତି । ୬୦ ଲକ୍ଷ ଟଙ୍କା ଲୁଟିବା ପରେ କୋଲକାତା ଆଡକୁ ଚମ୍ପଟ ମାରିଛନ୍ତି ଲୁଟେରା । ସେପଟେ ପୋଲିସ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ।

ଆଗକୁ ପୂଜା ଥିବାରୁ ବାଲେଶ୍ୱରର ପ୍ରତିଛକରେ ପୋଲିସ ଜଗି ରହିଛି । ଆଉ ଏହାରି ଭିତରେ ପୋଲିସକୁ ଖୋଲା ଚ୍ୟାଲେଂଜ ଦେଇ ବଡ ଧରଣର ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।