ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ମୃତ ଓଡ଼ିଆ ଦାଦନଙ୍କୁ ନେଇ ଆସିଲା ସାଂଘାତିକ ତଥ୍ୟ । ଅନଲାଇନ୍ କ୍ଲାସ ପାଇଁ ମୋବାଇଲ କିଣିବାକୁ ଆନ୍ଧ୍ର ଯାଇଥିଲେ ଦାଦନ ଖଟି ।

349

କନକ ବ୍ୟୁରୋ : ଆନ୍ଧ୍ରର ଗୁଣ୍ଟୁରର ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ବିଜୁଳି ସଂସ୍ପର୍ଶରେ ଆସି ୬ ଓଡିଆ ଦାଦନଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ମୃତ ୬ ଜଣ ଓଡିଆ ଦାଦନ ନାବାଳକ ଥିଲେ ଓ ସେମାନେ ପାଠ ପଢୁଥିଲେ । ଏହାଠୁ ବିସ୍ଫୋରକ ତଥ୍ୟ ହେଉଛି, ତାଲାବନ୍ଦରେ ଅନଲାଇନ୍ କ୍ଲାସ କରିବା ପାଇଁ ତାଙ୍କ ପାଖରେ ମୋବାଇଲ ନଥିଲା । ତେଣୁ ମୋବାଇଲ କିଣିବା ପାଇଁ  ଆନ୍ଧ୍ର ଦାଦନ ଖଟିବାକୁ ଯାଇଥିଲେ ୬ ନାବାଳକ ।

ଗୁଣ୍ଟୁରର ଏକ ଚିଙ୍ଗୁଡି କାରଖାନାରେ କାମ କରି ଟଙ୍କା ମିଳିବା ପରେ ସେମାନେ ମୋବାଇଲ କିଣି ଘରକୁ ଫେରିଥାନ୍ତେ । ଆଉ ଅନଲାଇନ କ୍ଲାସରେ ପାଠ ପଢିଥାନ୍ତେ । ହେଲେ ୬ ନାବାଳକଙ୍କ ପାଠପଢିବାର ଆଶା ଆଶାରେ ରହିଗଲା । ଚିଙ୍ଗୁଡି ଫ୍ୟାକ୍ଟ୍ରିର ଏକ କଠୋରୀରେ ଶୋଇଥିବା ବେଳେ ସର୍ଟସର୍କିଟ ହୋଇ ନିଆଁ ଲାଗିଯିବାରୁ ୬ ନାବାଳକ ଜଳି ପ୍ରାଣ ହରାଇଛନ୍ତି । ମୃତ ପୁଲପୁଟି ଗ୍ରାମର ପାଣ୍ଡବ ଶବର ପୁଟାସିଙ୍ଗ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର, ମୃତ କରୁଣା କର ଶବର କିସରେ ପଢୁଥିଲେ, ଫୁଲପୁଟି ଗ୍ରାମର ମୋହନ ଶବର ଖିଲାପଦର ଆଶ୍ରମ ବିଦ୍ୟାଳୟର ଛାତ୍ର, ଝୁମ୍ପାପୁର ଗ୍ରାମର ରାମ ମୂର୍ତି ଗମାଙ୍ଗ ଗୁଣୁପୁର ଉଚ୍ଚ ବାଳକ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି  ।

ବର୍ତମାନ ଏହି ଅଘଟଣକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  । ଏହି ଘଟଣାର ତଦନ୍ତ ଆନ୍ଧ୍ରପ୍ରଦେଶ ପୁଲିସ ଜାରି ରଖିଥିବା ବେଳେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୨ ଲ କ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆନ୍ଧ୍ର ସରକାର ମଧ୍ୟ ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।