ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ଗୋଟାଏ ଯାଏଁ କଂଗ୍ରେସର ବନ୍ଦ ପାଳନ : ୬ ଘଂଟିଆ ବନ୍ଦରୁ ବାଦ ରହିବ ଅତ୍ୟାବଶ୍ୟକ ସେବା

ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ସରକାରଙ୍କ ନିଷ୍ପତି; ଦିନ ୨ଟା ଯାଏଁ ବନ୍ଦ ରହିବ ‘ମୋ ବସ’ ସେବା

132

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ହେଲେ ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ । ଏପରିକି ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି । ଆମ୍ବୁଲାନ୍ସ ଓ ଦୁଗ୍ଧ ଗାଡି ଅବାଧରେ ଗଡିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରଦେଶ କଂଗ୍ରେସର ଅଭିଯୋଗ ହେଲା, କେନ୍ଦ୍ରରେ ମୋଦି ସରକାର ଆସିବା ଦିନରୁ ଗତ ୭ ବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ ଓ ଡିଜେଲ ଦର ୫ରୁ ୭ ପଇସା ବଢିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲା, ଏବେ କାହିଁକି ଚୁପ ବସିଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଯାହାକୁ ନେଇ ଚିହିଁକି ଉଠିଛି ବିଜେଡି । ଦଳର ନେତା କହିଛନ୍ତି, କଂଗ୍ରେସ ତାର ରାଜନୈତିକ ସ୍ଥିତିକୁ ରକ୍ଷା କରିବା ପାଇଁ ଆନ୍ଦୋଳନ କରୁଛି । ସେପଟେ ତେଲଦର ବୃଦ୍ଦି ପାଇଁ ରାଜ୍ୟ ଟିକସକୁ ଦାୟୀ କରିଛି ବିଜେପି ।

ଜାଣନ୍ତୁ ଆଜିର ବନ୍ଦ ପାଳନକୁ ନେଇ କେତେକ ପ୍ରମୁଖ ବିନ୍ଦୁ ଉପରେ –

– ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ୬ ଘଂଟା ଧରି ବନ୍ଦ ପାଳନ ହେବ
– ରୋଗୀ, ସ୍ୱାସ୍ଥ୍ୟକର୍ମୀ, ଦୁଗ୍ଧ ଗାଡି ଓ ଆମ୍ବୁଲାନ୍ସ ଅବାଧରେ ଯାଇପାରିବେ
– ସ୍ୱର୍ଗଦ୍ୱାର ଗାଡି କିମ୍ବା ବର, କନ୍ୟା ଗାଡିକୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯାଇଛି
– ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି କରିଛନ୍ତି ସରକାର
– ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
– ସେହିପରି ସକାଳ ୭ରୁ ଦିନ ୨ଟା ଯାଏଁ ବନ୍ଦ ରହିବ ‘ମୋ ବସ’ ସେବା
– ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି କରିଛି ବସ ମାଲିକ ସଂଘ