କନକ ବ୍ୟୁରୋ : ବଲିଉଡ ଫିଲ୍ମ ସ୍ପେଶାଲ ୨୬ କିଏ ବା ନ ଦେଖିଛି । ଫିଲ୍ମରେ କିଭଳି ନକଲି ସିବିଆଇ ଅଧିକାରୀ ହୋଇ ୨୬ ଜଣ ଲୋକ ଜଣେ ସୁନା ବେପାରୀଙ୍କ ଘରେ ମିଛ ରେଡ୍ କରି ସବୁ ସୁନା ଅଳଙ୍କାର ଓ ଟଙ୍କା ନେଇଥିଲେ ତାହା ଦର୍ଶାଯାଇଥିଲା । ଅନୁରୂପ ଭାବେ ସମାନ ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି । ୬ ଜଣିଆ ଡକାୟତ ଗ୍ୟାଙ୍ଗ ନିଜକୁ ଆଣ୍ଟି କରପସନ ବ୍ୟୁରୋର ଅଧିକାରୀର ପରିଚୟ ଦେଇ ଜଣେ ପୂର୍ବତନ ସରକାରୀ ବାବୁଙ୍କ ଘରେ ମିଛ ରେଡ କରି ୩୬ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ୨୧ ଜୁଲାଇ ଅପରାହ୍ନରେ ୬ ଜଣ ଲୋକ ପୂର୍ବତନ ସରକାରୀ ଅଧିକାରୀ କାନ୍ତିଲାଲ ଯାଦବଙ୍କ ଘରେ ପଶିଥିଲେ । ପୂରା ଟିମର ନେତୃତ୍ୱ ନେଉଥିବା ଜଣେ ଦାଢି ରଖିଥିବା ବ୍ୟକ୍ତି ନିଜକୁ ଆଣ୍ଟି କରପସନ ବ୍ୟୁରୋର ଅଧିକାରୀ ଭାବେ ପରିଚୟ ଦେଇଥିଲେ । ପୂର୍ବତନ ସରକାରୀ ବାବୁଙ୍କ ନାଁରେ ଅଭିଯୋଗ ଥିବା ଦର୍ଶାଇ ତାଙ୍କ ଘରର ତଲାସୀ ନେବାକୁ ଆସିଥିବା କହିଥିଲେ । ଏପରିକି କାନ୍ତିଲାଲ ଓ ତାଙ୍କ ପତ୍ନୀଙ୍କ ମୋବାଇଲ ମଧ୍ୟ ଜବତ କରିବା ସହ ପୂରା ଘରର ଛାନଭିନ୍ କରିବା ପର୍ଯ୍ୟନ୍ତ ପାଖରେ ବସାଇ ରଖିଥିଲେ ।
କାନ୍ତିଲାଲ ଯାଦବ ସାହସ କରି ଉକ୍ତ ବ୍ୟକ୍ତିଙ୍କୁ ପରିଚୟପତ୍ର ଦେଖାଇବାକୁ କହିଥିଲେ । କିନ୍ତୁ ରେଡ୍ ସରିବା ପରେ ପରିଚୟପତ୍ର ଦେଖାଯିବ ବୋଲି କୁହାଯାଇଥିଲା । ରେଡ୍ ଶେଷ ପର୍ଯ୍ୟନ୍ତ ଚୁପଚାପ ବସିବାକୁ ନିର୍ଦ୍ଦେଶ ଦେଇଥିଲେ ଦାଢି ରଖିଥିବା ବ୍ୟକ୍ତି । ଏହି ସମୟରେ ଅନ୍ୟ ୫ ଜଣ ବ୍ୟକ୍ତ ବେଡରୁମ ଓ ଆଲମାରିରୁ ନଗଦ ଟଙ୍କା ସହ ସୁନାଗହଣା ଧରି ଆସିଥିଲେ । ଯାହାର ମୂଲ୍ୟ ପାଖାପାଖି ୩୬ ଲକ୍ଷରୁ ଅଧିକ ହେବ । ତେବେ ମିଛ ଚଢାଉ ପରେ ପରିଚୟ ପତ୍ର ନଦେଇ ୩୬ ଲକ୍ଷ ଟଙ୍କା ଧରି ଛୁ ମାରିଥିଲେ ଏହି ଠକ୍ ଗ୍ୟାଙ୍ଗ । ଯାହାକୁ ନେଇ ଥାନାରେ କାନ୍ତିଲାଲ ମାମଲା ରୁଜୁ କରିଛନ୍ତି । କାନ୍ତିଲାଲଙ୍କ ଅଭିଯୋଗକ୍ରମେ ଏବେ ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/22-22.jpg)