ଉପାନ୍ତ ଇଲାକାରେ କେମିତି ଚାଲିଛି ମୋ ସରକାର ଯୋଜନା? ସମୀକ୍ଷା ପାଇଁ ଡାକ୍ତରଖାନାରେ ପହଞ୍ଚିଲେ ଫାଇବ-ଟି ସଚିବ ।

ଡାକ୍ତରଖାନା ବୁଲି ଦେଖିଲେ ଭି କାର୍ତିକେୟନ ପାଣ୍ଡିଆନ୍ ।

635

କନକ ବ୍ୟୁରୋ: ମାଲକାନଗିରି ଡାକ୍ତରଖାନାରେ ହଠାତ ପହଞ୍ଚିଲେ ଫାଇଭ୍–ଟି ସଚିବ । ଡାକ୍ତରଖାନା ବୁଲି ଦେଖିଲେ ଭି କାର୍ତିକେୟନ ପାଣ୍ଡିଆନ୍ । ସ୍ୱାସ୍ଥ୍ୟାବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଲୋକଙ୍କୁ ମେଡିକାଲରେ କିଭଳି ସୁବିଧା ମିଳୁଛି ତାହା ପଚାରି ବୁଝିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ।
ଗତ ଅକ୍ଟୋବର ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଲାଗୁ ହେବା ପରେ ତୃଣମୂଳ ସ୍ତରରେ ଏହା କିପରି କାର୍ଯ୍ୟକାରୀ ହେଉଛି ତାହାକୁ ଫାଇଭ୍-ଟି ସଚିବ ଅନୁଧ୍ୟାନ କରିଛନ୍ତି । ଲୋକମାନେ ହସ୍ପିଟାଲରେ ଠିକ ଭାବେ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ତାହା ସିଧାସଳଖ ରୋଗୀଙ୍କ ଠାରୁ ପଚାରି ବୁଝିଛନ୍ତି । ତେବେ ମାଲକାନଗିରି ଡାକ୍ତରଖାନା ଗସ୍ତରେ ଯାଇଥିବା ବେଳେ ଭି କାର୍ତିକେୟନ ପାଣ୍ଡିଆନଙ୍କ ସହ ଥିଲେ ଅର୍ଥ ବିଭାଗର ପ୍ରମୁଖ ସଚିବ ଏକେ. ମିନା ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ମୋ ସରକାର ଯୋଜନା ପ୍ରଥମେ ଡାକ୍ତରଖାନା ଓ ପୋଲିସ ଥାନାରେ ଲାଗୁ କରାଯାଇଛି । ଲୋକଙ୍କୁ ଭଦ୍ର ବ୍ୟବହାର ସହ ତାଙ୍କ ସମସ୍ୟାର ସମାଧାନ ଏବଂ ସରକାରୀ ପ୍ରତିଷ୍ଠାନ ପ୍ରତି ଲୋକଙ୍କ ବିଶ୍ୱାସ ବଢାଇବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାର ସମୀକ୍ଷା କରିଛନ୍ତି ଫାଇଭ୍-ଟି ସଚିବ । କୋରାପୁଟ ଓ ନବରଙ୍ଗପୁରର ସରକାରୀ ହସ୍ପିଟାଲକୁ ମଧ୍ୟ ଯାଇ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି । ସେପଟେ, ରାଜ୍ୟ ସରକାରଙ୍କ ଏହି ମୋ ସରକାର କାର୍ଯ୍ୟକ୍ରମ ଏବଂ ବିଭାଗୀୟ ସଚିବଙ୍କ ଦକ୍ଷିଣ ଓଡିଶା ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ ।