ଗୋଆରେ ଆରମ୍ଭ ହେଲା ୫୦ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ! ସୁବର୍ଣ୍ଣ ଜୟନ୍ତୀ ସ୍ପେଶାଲ ଆଇକନ ସମ୍ମାନରେ ସମ୍ମାନୀତ ହେଲେ ସୁପରଷ୍ଟାର୍ ରଜନୀକାନ୍ତ ଏବଂ ବିଗ୍ ବି  

123

ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ‘ଇଫି’ ବୁଧବାର ଗୋଆରେ ଆରମ୍ଭ ହୋଇଛି । ଗୋଆର ପଞ୍ଜିମ ସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ୫୦ ତମ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି । ରାଜ୍ୟପାଳ ସତ୍ୟପାଳ ମଲ୍ଲିକ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର, ବାବୁଲ, ସୁପ୍ରିୟ ଓ ଶ୍ରୀପଦ ନାୟକ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ରାଜ୍ୟର ବରିଷ୍ଠ ମନ୍ତ୍ରୀ ପ୍ରମୁଖ ଏହି ମହୋତ୍ସବରେ ଯୋଗ ଦେଇଥିଲେ ।

ଉଦଘାଟନୀ ଉତ୍ସବରେ ଅଭିନେତା ରଜନୀକାନ୍ତଙ୍କୁ ସୁବର୍ଣ୍ଣ ଜୟନ୍ତୀ ସ୍ପେଶାଲ ଆଇକନ ସମ୍ମାନରେ ସମ୍ମାନୀତ କରାଯାଇଛି । ଚଳଚ୍ଚିତ୍ର ଉତ୍ସବ ସମୟରେ ‘ଶୋଲେ’ ଚଳଚ୍ଚିତ୍ର ସମେତ ଅମିତାଭ ବଚ୍ଚନଙ୍କର ବହୁ ଚଳଚ୍ଚିତ୍ର ସହିତ ୯୦ ବିଦେଶୀ ଫିଲ୍ମର ପ୍ରିମିୟର ପ୍ରଦର୍ଶିତ ହେବ । ଏହି ବର୍ଷ ଗୋଆ ଫିଲ୍ମ ସମାରୋହରେ ମୁଖ୍ୟ ଆକର୍ଷଣ ରହିଛି ଋଷ । ଋଷ ନିଜର ଫିଲ୍ମ ପାଇଁ ଏକ ବିଶେଷ ରଙ୍ଗାରଙ୍ଗ ମଞ୍ଚ ପ୍ରସ୍ତୁତ କରିଛି । ଋଷ ପ୍ରତିନିଧୀଙ୍କ କହିବାନୁସାରେ ଭାରତୀୟ ନିର୍ମାତାଙ୍କୁ ଋଷରେ ଫିଲ୍ମ ସୁଟିଙ୍ଗ ପାଇଁ ୪୦ ପ୍ରତିଶତ ସବସିଡି ମିଳିବ । ସୂଚନାନୁସାରେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚଳଚ୍ଚିତ୍ର ମହୋତ୍ସବ ୯ ଦିନ ପର୍ଯ୍ୟନ୍ତ ଚାଲିବ । ଏଥି ସହିତ ଚଳିତଥର ଚଳଚ୍ଚିତ୍ର ମହୋତ୍ସବରେ ଏଥିରେ ୭୬ ଦେଶର ୩୦୦ଟି ଫିଲ୍ମ ଦେଖାଯିବ ।