ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ଦବଦବା । ୫ ମହିଳା ବିଧାୟିକାଙ୍କୁ ମନ୍ତ୍ରୀ ପଦ ଭେଟି ଦେଲେ ନବୀନ ।

167

କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ଦବଦବା । ୫ ମହିଳା ବିଧାୟକଙ୍କୁ ନବୀନ କରାଇଲେ ମନ୍ତ୍ରୀ । ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମଧ୍ୟ ଦେଇଛନ୍ତି ନବୀନ । ଏପରି କରି ନବୀନ ମହିଳା ସଶକ୍ତିକରଣ ଉପରେ ଦେଇଛନ୍ତି ବଡ ବାର୍ତା ।

ମହିଳା ସଶକ୍ତିକରଣକୁ ମୁଖ୍ୟ ନାରା ବନାଇଥିବା ନବୀନ ସରକାର ଏଥର ମନ୍ତ୍ରିମଣ୍ଡଳରେ ବି ସେହି ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ପ୍ରମିଳା ମଲ୍ଲିକ, ଉଷା ଦେବୀ ଓ ଟୁକୁନି ସାହୁ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ସେହିପରି ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ୨୦୨୪ ପାଇଁ ଟିମ ପ୍ରସ୍ତୁତ କରୁଛନ୍ତି ନବୀନ । ୫ ଥର ଶାସନ ଗାଦିରେ ବସିବା ପରେ ସବୁ ରେକର୍ଡ ଭାଙ୍ଗିବାକୁ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏବଂ ନବୀନ ଭଲ ଭାବେ ଜାଣିଛନ୍ତି, ମହିଳାଙ୍କ ସମର୍ଥନ ହିଁ ତାଙ୍କ ରଥରେ ବିଜୟବାନା ଲଗାଇ ପାରିବ ।

ନୂଆ ମନ୍ତ୍ରିମଣ୍ଡଳରେ ପ୍ରମିଳା ମଲ୍ଲିକକଙ୍କୁ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି । ବିଞ୍ଝାରପୁର ଆସନରୁ ୫ଥର ନିର୍ବାଚିତ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ ଦଳର ମୁଖିଆ ପୁଣି ଆସ୍ଥା ପ୍ରକଟ କରିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱରେ ରହି ଦଳ ପ୍ରତି ତାଙ୍କ ନିଷ୍ଠା ତାଙ୍କୁ ଏହି ସଫଳତା ଆଣି ଦେଇଛି । ଟିଟିଲାଗଡରୁ ଦୁଇ ଥର ନିର୍ବାଚିତ ହୋଇ ବିଧାନସଭା ଆସନକୁ ଆସିଥିବା ଟୁକୁନି ସାହୁଙ୍କୁ ଜଳସଂପଦ, ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ମିଳିଛି । ପୂର୍ବରୁ ସେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିଲେ । ସେହିପରି ଗଂଜାମ ଚିକିଟର ବିଧାୟିକା ଉଷାଦେବୀଙ୍କୁ ଗୃହନିର୍ମାଣ ଓ ସହରାଂଚଳ ବିକାଶ ମନ୍ତ୍ରୀ ଦାୟିତ୍ୱ ମିଳିଛି ।

ପ୍ରଥମ ଥର ପାଇଁ କରଞ୍ଜିଆ ଆସନରୁ ବିଧାନସଭା ଆସିଥିବା ବାସନ୍ତୀ ହେମ୍ବ୍ରମଙ୍କ ଉପରେ ଭରସା କରିଛନ୍ତି ନବୀନ ପଟ୍ଟନାୟକ । ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଭଳି ଗୁରୁ ଦାୟିତ୍ୱ ତାଙ୍କୁ ଦିଆଯାଇଛି । ସେହିପରି ବିଜେପୁର ବିଧାୟିକା ରୀତା ସାହୁଙ୍କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କୁହାଯାଉଛି ୨୦୨୪ ନିର୍ବାଚନକୁ ଆଖିରେ ରଖି ଟିମ ପ୍ରସ୍ତୁତ କରିଛନ୍ତି ନବୀନ ପଟ୍ଟନାୟକ । ଏହାଛଡା ମହିଳାଙ୍କୁ ଗୁରୁତ୍ୂପୂର୍ଣ୍ଣ ବିଭାଗ ବଂଟନ କରି ମହିଳାଙ୍କ ରାଜନୈତିକ ସଶକ୍ତିକରଣ ସହ ମହିଳା ଭୋଟ ବ୍ୟାଙ୍କକୁ ଆହୁରି ସୁଦୃଢ କରିବାକୁ ଉଦ୍ୟମ କରିଛନ୍ତି ବିଜେଡି ସୁପ୍ରିମୋ ।