ସ୍ନାନବେଦୀକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂରତୀ : ଆରମ୍ଭ ହେଲା ପହଣ୍ଡି ବିଜେ; ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ

86

କନକ ବ୍ୟୁରୋ : ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ସ୍ନାନଯାତ୍ରା । ୧୦୮ କଳସ ଜଳରେ ଶ୍ରୀଜିଉ ସ୍ନାନ କରିବେ । ସୁନା କୂଅର ସୁବାସିତ ଜଳରେ ସ୍ନାନ କରିବେ । ଭକ୍ତଙ୍କ ଗ୍ରହଣରେ ସ୍ନାନଯାତ୍ରା ନୀତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଏ ନେଇ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୫୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛି । ୧୧ ଅତିରିକ୍ତ ଏସପି ୨୧ ଡିଏସପି ମୁତୟନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ସିସିଟିଭି ଲାଗିଛି ।

ଯେଉଁ ଭକ୍ତମାନେ ବସ୍‌ରେ ଭୁବନେଶ୍ବର କିମ୍ବା କୋଣାର୍କ ପଟୁ ଆସିବା ପାଇଁ ଚାହୁଛନ୍ତି ସେମାନେ ସହର ମଧ୍ୟରେ ଥିବା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିପାରିବେ । ନିୟମିତ ଯାତ୍ରୀ ଚଳାଚଳରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସେହିଭଳି ଯେଉଁମାନେ ଟାଉନ ବସ୍‌ରେ ବଡ଼ଦାଣ୍ଡକୁ ଆସିବାକୁ ଚାହିବେ ସେମାନେ କେବଳ ମେଡିକାଲ୍‌ ଛକ ପର୍ଯ୍ୟନ୍ତ ଆସିପାରିବେ । କାର୍‌ ଓ ଏସ୍‌ୟୁଭି ପାର୍କିଂ ପାଇଁ ଜଗନ୍ନାଥ ବଲ୍ଲଭ, ଶରଧାବାଲି, ଯାତ୍ରିକା, ବ୍ଲୁ ଫ୍ଲାଗ୍‌ ବିଚ୍‌ ଓ ଦିଗବାରେଣୀ ଛକ‌ରେ ବ୍ୟବସ୍ଥା ହୋଇଛି ।

ଯେଉଁମାନେ ବାଇକ୍‌ ନେଇ ଆସିବେ ସେମାନେ ବଡ଼ଦାଣ୍ଡରେ ମାର୍କେଟ୍‌ ଛକଠାରୁ ଗ୍ରାଣ୍ଡ ସେଣ୍ଟର ମଧ୍ୟରେ ପାର୍କିଂ କରି ଦର୍ଶନ ପାଇଁ ଯାଇପାରିବେ । ତେବେ ମରିଚିକୋଟ ଛକରୁ ଜଗାବଳିଆ ଲଜ୍‌ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟାତ କରିପାରିବ ନାହିଁ । ଏଥିସହ ପୁଲିସ୍‌ ପକ୍ଷରୁ ୨୪ ଘଣ୍ଟିଆ ହେଲ୍‌ପ ଲାଇନ୍‌ ନମ୍ବର ରହିବ । ୬୩୭୦୯୬୭୧୦୦ ନମ୍ବରରେ ଯୋଗାଯୋଗ କରି ପୁଲିସ୍‌ର ସହାୟତା ନେଇପାରିବେ ।