ଭଦ୍ରକର ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକରେ କଡା କଟକଣା ଲାଗୁ

555

କନକ ବ୍ୟୁରୋ: ଭଦ୍ରକରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାର ୫ଟି ପଂଚାୟତକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରିଛି ପ୍ରଶାସନ । ଗୋଟିଏ ଦିନରେ ବାସୁଦେବପୁରରେ ୩ ଓ ଭଣ୍ଡାରୀପୋଖରୀରେ ୨ ପଜିଟିଭ୍ ଚିିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରି ଦିଆଯାଇଛି । ଭଣ୍ଡାରୀପୋଖରୀର ରହଣିଆ, ତେସିଙ୍ଗା ପଂଚାୟତର କିଛି ଅଂଚଳକୁ ସିଲ୍ କରିଛି ପ୍ରଶାସନ ।

ରାଜ୍ୟରେ ଆଜି ୭ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଆକ୍ରନ୍ତ କେବଳ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକର ପାଂଚଟି ପଂଚାୟତକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି । ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୨ଟି କରୋନା ପଜିଟିଭ ଆସିବା ପରେ ତେସିଙ୍ଗା ଓ ରହଣିଆ ନାମକ ଦୁଇଟି  ପଞ୍ଚାୟତକୁ ପ୍ରଶାସନ ସିଲ କରିଥିବା ଜଣାଯାଇଛି। ତେଣେ ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର, ବିନାୟକପୁର ଏବଂ ପଦ୍ମପୁର ନାମକ ତିନିଟି  ପଞ୍ଚାୟତକୁ ପ୍ରଶାସନ ସିଲ କରିଥିବା ଜଣାଯାଇଛି। ଏହି  ସବୁ ଅଂଚଳର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରକୁ ସିଲ କରିଦିଆଯାଇଛି ।

ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ଅନୁସାରେ, ରାଜ୍ୟ ଆକ୍ରାନ୍ତ ହୋଇଥିବା ୭ ନୂଆ ଆକ୍ରାନ୍ତଙ୍କ ମଧ୍ୟକୁ ୫ ଜଣ ହେଉଛନ୍ତି ଭଦ୍ରକ ଜିଲ୍ଲାର ଏବଂ ଏଥିମଧ୍ୟରୁ ଭଣ୍ଡାରିପୋଖରୀ ବ୍ଲକର ୨ ଜଣ ହୋଇଥିବା ବେଳେ ବାସୁଦେବପୁର ବ୍ଲକର ୩ ଜଣ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂପୃକ୍ତ ପଂଚାୟତଗୁଡିକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଚି଼ହ୍ନଟ କରାଯାଇ ବିଭିନ୍ନ କଟକଣା ଜାରି କରାଯାଇ କରୋନା ଆକ୍ରାନ୍ତଙ୍କୁ କଟକର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।