ଲୋକାର୍ପିତ ହେଲା ୫ଟି ଅନଲାଇନ୍ ସେବା । ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

548

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କର ୫-ଟି ଉପକ୍ରମ ଜରିଆରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାରେ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବା ଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍ (୩) ଇ-ମାନଦେୟ ପୋର୍ଟାଲ (୪) ମମତା ଆପ୍ ଏବଂ (୫) ମୋ ଶିଶୁ ପୋର୍ଟାଲ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି ଆସୁଛନ୍ତି । ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନ ମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି । ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାରଙ୍କର ଏହି ସବୁ କାର୍ଯ୍ୟକ୍ରମ ଯେପରି ଅଧିକ ଦକ୍ଷତାର ସହିତ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ରାଜ୍ୟ ସରକାର ବିଶେଷ ଯତ୍ନବାନ ଅଛନ୍ତି ଏବଂ ବୈଷୟିକ ଜ୍ଞାନକୌଶଳ ଏହି ଉପକ୍ରମକୁ ବିଶେଷ ସୁଗମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଲୋକାର୍ପିତ ୫-ଟି ଅନଲାଇନ୍ ସେବା, ପରିବର୍ତ୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।